କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ମାଲାକାନଗିରି ଜିଲ୍ଲା । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଗତକାଲି ସଂଧ୍ୟାରେ ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ପୋଟେରୁ ପୋଲ ଉପରେ ପାଣି ଚାଲିବା ଆରମ୍ଭ ହୋଇଛି । ରାତି ୮ଟା ପରଠାରୁ ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି । ଫଳରେ ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି ।

Advertisment

ପୋଲିସ ପକ୍ଷରୁ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ପୋଲ ନିକଟରେ ଜଗି ରହିଛି ପୋଲିସ । ଫଳରେ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କାଙ୍ଗୁରକୋଣ୍ଡା ପୋଲ ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରିଠାରୁ ମେଟୁ ଦେଇ ହାଇଦ୍ରାବାଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଯୋଗୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଏପରି ବର୍ଷା ଲାଗି ରହିଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି ।

ବର୍ଷାରେ ନଦୀ ଗୁଡ଼ିକର ଜଳସ୍ତର ହଠାତ୍‌ ବୃଦ୍ଧି ପାଇଥିଲା । ତାର୍ଲା କୋଟା ନଦୀରେ ବନ୍ୟାଜଳ ପ୍ରବେଶ ପରେ ବାଲିମେଳାକୁ ସଂଯୋଗ କରୁଥିବା ଏମ୍‌ଭି-୩୭ ପୋଲ ଉପରେ ୩ଫୁଟ ପାଣି ଚାଲିଥିଲା । ପ୍ରଖର ସ୍ରୋତ ରହିଥିବାରୁ ଓର୍କେଲ ପୁଲିସ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି । ଏମଭି-୪୨ ଓ ଏମଭି-୧୨ ଗ୍ରାମ ମଧ୍ୟରେ ନଦୀ ପାଣି ହଠାତ ରାସ୍ତା ଉପରକୁ ଚାଲି ଆସିବାରୁ ଏମଭି-୪୭, ପିଟାଗେଡା, ମାରିବେଡା ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

ମାଲକାନଗିରି ସହର ଡିଏନ୍‌କେ କେଲୋନି, କାଲିମେଳା ବ୍ଲକ୍‌ର କାଙ୍ଗୁରକୋଣ୍ଡା, ପଡିଆ, ଖଇରପୁଟ ବ୍ଲକର ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତ ବନ୍ଦ ହୋଇଯାଇଛି । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତରେ ଏକ ଅସ୍ଥାୟୀ ପୋଲ ଭାସି ଯାଇଥିବା ବେଳେ ବେତାଗୁଡ଼ା ଅଞ୍ଚଳର ଏକ ପାହାଡ଼ରୁ ମାଟି ଅତଡ଼ା ଖସି ଏହାତଳେ ପୋତି ହୋଇ ୭ଟି ଛେଳି ପ୍ରାଣ ହରାଇଥିବା ଜଣାପଡ଼ିଛି ।

ପାରଳା ସହର ଉପକଣ୍ଠ ବେତାଗୁଡ଼ା ଅଞ୍ଚଳରେ ଥିବା ଏକ ଛୋଟିଆ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସିବା ଫଳରେ ସେଠାରେ ଚରୁଥିବା ଝାମୀ ଗ୍ରାମର ଜି. ଭେଙ୍କଟ ରାଓଙ୍କର ୭ଟି ଛେଳି ପ୍ରାଣ ହରାଇଛନ୍ତି । ଅଗ୍ନିଶମ କର୍ମଚାରୀ ପହଞ୍ଚି ଛେଳିଗୁଡ଼ିକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଳିମ୍ବପୁରକୁ ସଂଯୋଗ କରୁଥିବା ପୋଲଟି ଲଗାଣ ବର୍ଷାରେ ଭାସିଯାଇଛି । ଏହି ପୋଲ ଦେଇ ୩ଟି ଗ୍ରାମର ୧୮ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ପାରଳାଖେମୁଣ୍ଡି ଯାତାୟାତ କରୁଥିଲେ ।