କନକ ବ୍ୟୁରୋ : ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି। ଆକାଶରୁ ନିଆଁ ବର୍ଷା ହେଲା ଭଳି ତାତି ହେଉଛି। ପୂର୍ବାହ୍ନ ୧୦ଟା ପରେ ଆକାଶରୁ ନିଆଁ ହୁଳା ଖସି ଦେହରେ ପଡ଼ିଲା ଭଳି ଲୋକ ଅନୁଭବ କରୁଛନ୍ତି। ସାରା ରାଜ୍ୟରେ ଅସହ୍ୟ ଖରା ହୋଇଥିବା ବେଳେ ଆଉ ତିନି ଦିନ, ଅର୍ଥାତ୍ ୩୦ ତାରିଖ ପର୍ଯ୍ୟନ୍ତ ଏହିଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତିନି ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଖରା ସାଧାରଣ ଲୋକଙ୍କ ପାଇଁ ସହ୍ୟ ହେଲେ ବି ଶିଶୁ, ବୟସ୍କ ଏବଂ କ୍ରୋନିକ ରୋଗୀ ଖରାକୁ ନବାହାରିବାକୁ କହିଛି। ସାଧାରଣ ଲୋକଙ୍କ ପାଇଁ ଖରା ବେଶୀ ବିପଦଜନକ ନଥିଲେ ବି ଜରୁରୀ କାମ ନଥିଲେ ଲୋକ ଘରୁ ନବାହାରିବାକୁ କୁହାଯାଇଛି। ଏପରିକି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଭିତରେ ବାହାରକୁ ଗଲେ ସଙ୍ଗରେ ପାଣିବୋତଲ, ଓଦା ଗାମୁଛା, ଛତା ନେଇ ଯିବାକୁ କୁହାଯାଇଛି।
/kanak/media/post_attachments/wp-content/uploads/2018/03/vlcsnap-2018-03-10-17h57m23s760.png)
/kanak/media/post_attachments/wp-content/uploads/2018/02/summer.jpg)
କେବଳ ପଶ୍ଚିମ ନୁହେଁ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବି ପାରଦ ୪୦ଡିଗ୍ରି ଉପରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳରେ ୪୨.୭, ତାଳଚେରରେ ୪୩.୩, ଫୁଲବାଣୀରେ ୪୧.୬, କେନ୍ଦୁଝରରେ ୪୦.୩ ଡିଗ୍ରି ରେକର୍ଡ ହୋଇଥିବାବେଳେ ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ୪୨.୫, କୋରାପୁଟରେ ୩୯.୬, ଦାରିଙ୍ଗବାଡ଼ିରେ ୩୮.୫ଡିଗ୍ରି ଛୁଇଁଛି। ଏପରିକି ଉପକୂଳ ଓଡ଼ିଶାର ଭୁବନେଶ୍ବରରେ ୩୯.୪, କଟକରେ ୩୯.୮ ଡିଗ୍ରି ରେକର୍ଡ ହୋଇଥିବାବେଳେ ଉତ୍ତର ଓଡ଼ିଶାର ବାଲେଶ୍ବରରେ ୩୮.୮ ଏବଂ ଚାନ୍ଦବାଲିରେ ୪୦.୭ଡିଗ୍ରି ପାରଦ ଛୁଇଁଛି।
ଅପରପକ୍ଷେ ପାଣିପାଗ ବିଭାଗ କହିଛି ଯେ, ୩୦ତାରିଖ ପର୍ୟ୍ୟନ୍ତ ପାଗ ପରିବର୍ତ୍ତନ ହେବାର ନଥିବାବେଳେ ୨ତାରିଖ ପରଠାରୁ ପାଗ ବଦଳିବ। କିନ୍ତୁ ବଡ଼ ଧରଣର ପରିବର୍ତ୍ତନ ହେବନି। ଗତ ୨୪ଘଣ୍ଟା ମଧ୍ୟରେ କଟକରେ କେବଳ ୭ମିମି କାଳବୈଶାଖୀଜନିତ ବର୍ଷା ହୋଇଥିବାବେଳେ ବାକି ରାଜ୍ୟରେ କେଉଁଠି ବର୍ଷା ପବନ ହୋଇନି। ହେଲେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ରବିବାର ଓ ସୋମବାର ଭୁବନେଶ୍ବର ସମେତ ଓଡ଼ିଶା ଉପକୂଳରେ ତାତି କମିବ। ଏପରିକି ୩୦ରୁ ୪ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୩୬ଡିଗ୍ରି ପାଖାପଖି ରହିବ। କିନ୍ତୁ ପଶ୍ଚିମ ଓଡ଼ିଶାରେ ହେଉଥିବା ତାତି ଓ ଗରମ ଆସନ୍ତା ୨ତାରିଖ ଭିତରେ କମିବାର ନାହିଁ।