ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି: ଉପକୂଳରେ ଗୁଳୁଗୁଳି, ଆସନ୍ତା ୩ ଦିନ ତାତିରୁ ମିଳିବନି ତ୍ରାହି!

353

କନକ ବ୍ୟୁରୋ: ପ୍ରତିଦିନ ତାତିର ନୂଆ ରେକର୍ଡ ହେଉଛି ସିନା, ତାତି କମୁ ନାହିଁ । ଗୋଟିଏ ସହର ଆଉ ଗୋଟିଏ ସହର ସହ ସତେ ଯେମିତି ପ୍ରତିଯୋଗିତା କରୁଛି । କାଲି ଝାରସୁଗୁଡାରେ ପାରଦ ୪୭ ଡିଗ୍ରୀ ଛୁଇିଁଥିବା ବେଳେ ଆଜି ୪ଟି ସହର ୪୬ ଡିଗ୍ରୀ ପାର କରିଛି । ସେହିପରି ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତାକାଲି ପାଇଁ ରାଜ୍ୟର ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପାଇଁ ତାତିରୁ ତ୍ରାହି ମିଳିବ ନାହିଁ ପାଣିପାଗ କେନ୍ଦ୍ର କହିଛି ।

ଗତ ୩ ଦିନ ଧରି ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ସାଙ୍ଗକୁ ଉପକୂଳରେ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକ । ଆଉ ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୭ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଡି ଜାରି କରାଯାଇଥିବା ବେଳେ ଆସନ୍ତାକାଲି ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ରେ ହିଟ୍ ୱେଭ୍ ଜାରି ରହିବ । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାତିର ତାପମାତ୍ରା ଅଧିକ ରହିବା ଆଶଙ୍କା ଥିବାରୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।

ସେହିପରି ଉପକୂଳ ଓଡ଼ିଶାରେ ଗରମ ସହ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହିବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଂଜାମ, ଗଜପତି, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅଂଶୁଘାତର ଭୟ ରହିଥିବାରୁ ପିକ୍ ଆୱାରରେ ଖରାରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି ।

ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଭୋଟ । ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜୁନ ୩ ତାରିଖ ପରେ ପାଗରେ ପରିବର୍ତନ ହେବା ସମ୍ଭାବନା ରହିଛି ।