ଏପ୍ରିଲରୁ ଜଳୁଛି ସାରା ଓଡ଼ିଶା: ଉପକୂଳରୁ ଉପାନ୍ତ ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ

123

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସକାଳ ୧୧ଟା ପରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଚଳିତ ମାସ ଆରମ୍ଭରୁ ଏଭଳି ଖରା ଜାରି ରହିଥିବା ବେଳେ ସୋନପୁର ଜିଲ୍ଲାରେ ପ୍ରବଳ ଖରା ଅନୁଭୁତ ହେଉଛି । ଗତକାଲି ୪୪ଦଶମିକ ୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦେଶରେ ସବୁଠାରୁ ଉତପ୍ତ ସହର ପାଲଟିଲା । ଆଗକୁ ତାତି ଆହୁରି ବଢିବା ନେଇ ସତର୍କ କରାଯାଇଛି ପାଣିପାଗ ବିଭାଗ । ଅନ୍ୟପଟେ ତାତି ବଢିବା ସହିତ ସହରର ରାସ୍ତାଘାଟ ଶୁନ୍ଶୁନ୍ ହୋଇପଡ଼ୁଛି । ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ।

ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଝାରସୁଗୁଡ଼ା ବାସିନ୍ଦା । ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼, ବ୍ରଜରାଜନଗର, ବନ୍ଧବାହାଲ ଆଦି ଖଣି ସଲଗ୍ନ ଅଂଚଳରେ ଅଧିକ ଗରମ ଅନୁଭୁତ ହେଉଛି । ଏହା ସହ ଝାଂଜି ପବନ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ଲୋ-ଭୋଲଟେଜ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି । ଖରାରୁ ରକ୍ଷା ପାଇବା ପାଇଁ ଘରୁ ବାହାରିଲେ ଲୋକଙ୍କୁ ପାଣିବୋତଲ, ଛତା, ଚଷମା ଓ ଟୋପି ନେଇ ଯିବାକୁ ପଡ଼ୁଛି । ଲସି, ଆଖୁରସ, ତରଭୁଜ ଖାଇ ଲୋକେ ଶୋଷ ମେଂଟାଉଛନ୍ତି ।

ଆଗକୁ ତାପମାତ୍ରା ଅହୁରି ବୃଦ୍ଧିପାଇବାର ସମ୍ଭାବନା ରହିଥିବାରୁ ଅଧିକାଂଶ ସ୍ଥାନରେ ଜଳଛତ୍ର ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବାକୁ ସ୍ଥାଧାରଣରେ ଦାବି ହୋଇଛି ।