ଜଳବାୟୁ ପରିବର୍ତ୍ତନର ପଡୁଛି ବଡ଼ ପ୍ରଭାବ: ଦେଶରେ ଜୁନ ମାସ ଯାଏଁ ତାତିରୁ ତ୍ରାତି ମିଳିନଥିବାବେଳେ ଜୁଲାଇ ମାସରୁ ଆରମ୍ଭ ହେଲାଣି ପାଣିପ୍ରଳୟ

103

କନକ ବ୍ୟୁରୋ: କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ଠିକ ଏଭଳି ପରିସ୍ଥତି ଦେଶରେ ଦେଖାଦେଇଛି । କେବେ ମରୁଡ଼ି, କେବେ ପାଣିପ୍ରଳୟ । କିଛି ଦିନ ପୂର୍ବରୁ ଟୋପେ ପାଣି ପାଇଁ ସବୁଆଡ଼େ ହାହାକାର ପଡୁଥିଲା । ଲୋକେ ତ୍ରାହି ତ୍ରାହି ଡ଼ାକୁଥିଲେ । ଆଉ ଏବେ ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳପ୍ରଳୟ । ଜୁନ ମାସରେ ମାଟି ଫାଟି ଆଁ କରିଥିବାବେଳେ ବର୍ତମାନ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦିଲ୍ଲୀ ଠାରୁ ଆରମ୍ଭ କରି ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ହିମାଚଳ ଏବଂ ଜମ୍ମୁକଶ୍ମୀର ଆଦି ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଜନଜୀବନକୁ ପ୍ର୍ରଭାବିତ କରିଛି । ଉତରପ୍ରଦେଶର ମୋରାଦାବାଦରେ ସବୁଆଡ଼େ ପ୍ରବଳ ପାଣି ଯୋଗୁଁ ଲୋକେ ଟ୍ରାକ୍ଟର, ଶଗଡ଼ ଆଦିରେ ଯିବା ଆସିବା ପାଇଁ ବ୍ୟବହାର କରଛନ୍ତି । ସେହିପରି ଆସାମରେ ପ୍ରବଳ ବର୍ଷାରେ ବେହାଲ ହୋଇଛି ବିଭିନ୍ନ ଅଂଚଳ । ଲୋକେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ କାଠକୁ ଯୋଡ଼ି ଡ଼ଙ୍ଗା ପରି ବ୍ୟବହାର କରୁଛନ୍ତି ଲୋକେ । ଅନ୍ୟପଟେ ଭିନ୍ନ ଭିନ୍ନ ମୁଖ୍ୟ ନଦୀ ଓ ଶାଖା ନଦୀର ଜଳସ୍ତର ବୃଦ୍ଧି ହେଉଥିବା ପରି ଯମୁନା ନଦୀର ଜଳସ୍ଥଳ ବୃଦ୍ଧିଯୋଗୁଁ ନଦୀ କୂଳିଆ ଅଂଚଳର ଲୋକମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି ।

ଗୋଟିଏ ପଟେ ଜଳପ୍ରଳୟ । ଆଉ ଅନ୍ୟପଟେ ମରୁଡ଼ି । ବିଭିନ୍ନ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଜୁନ ମାସରେ ମୁଖ୍ୟତଃ ଓଡ଼ିଶା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମରୁଡ଼ି ପରିସ୍ଥିତି ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ପାଣି ଟୋପେ ପାଇଁ ହାହାକାର ପଡ଼ିଯାଇଥିଲା । ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭୂଇଁ ସବୁ ଡ଼ାଙ୍ଗରା ପଡ଼ିଥିଲା । ତେବେ ଏବେ ବି ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଖରାର ତେଜ କମିବାର ନାଁ ନେଉନାହିଁ । ତା ସାଙ୍ଗକୁ ମରୁଡ଼ି ପ୍ରବଣ ଅଂଚଳରେ ବର୍ଷାର ଲୁଚକାଳି ଚାଷୀକୁ ଚିନ୍ତାରେ ପକାଇଛି ।