୨ ଦିନ ଧରି ସାରା ରାଜ୍ୟର ଅନେକ ସ୍ଥାନରେ ଲାଗି ରହିବ ଘନକୁହୁଡି । କୁହୁଡି ଲାଗି ୟୋଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

148

କନକ ବ୍ୟୁରୋ:  ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ୩୧ ତାରିଖ ତଥା ଶୁକ୍ରବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଭଦ୍ରକ, ଯାଜପୁର, କନ୍ଧମାଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ଫେବ୍ରୁଆରି ପହିଲାରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଅନୁଗୁଳ, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବ। ଏହାଦ୍ବାରା ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷ‌ରେ ଆସନ୍ତା‌ ୨ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ୪ ତାରିଖ ପର୍ଯ୍ୟନ୍ତ ଥଣ୍ଡା କମିବା ସହ ହାଲୁକା ବର୍ଷା ହେବ। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇପାରେ। ଗତ ୩୬ ଘଣ୍ଟା ମଧ୍ୟରେ ପାରାଦୀପରେ ୧୭.୪ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବର ଓ ବାରିପଦାରେ ୧୬, ରାୟଗଡ଼ାରେ ୧୩.୨, ଚାନ୍ଦବାଲିରେ ୧୦.୨ ମିମି ବର୍ଷା ହୋଇଛି। ଏଥିସହ ଭୁବନେଶ୍ବର, ଭବାନୀପାଟଣା, ବଲାଙ୍ଗୀର, ସୋନପୁର, ଦାରିଙ୍ଗବାଡ଼ି, ନୟାଗଡ଼, କେନ୍ଦୁଝରର କେତେକ ସ୍ଥାନରେ ବି ହାଲୁକା ବର୍ଷା ହୋଇଥିବା ରେକର୍ଡ କରାଯାଇଛି।