ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ! ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

177

କନକ ବ୍ୟୁରୋ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ବଙ୍ଗୋପସାଗର ଆଖପାଖ ଅଞ୍ଚଳ ତଥା ଓଡ଼ିଶା ଉପରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ବାୟୁମଣ୍ଡଳ ଏବେ ଶାନ୍ତ ରହିଥିବା ବେଳେ ଆକାଶ ନିର୍ମଳ ରହିଛି। ଏଣେ ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଜଳୀୟ ବାଷ୍ପ ଥିବାରୁ ରାଜ୍ୟରେ ଘନ କୁହୁଡ଼ି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଗୁରୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।

ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟାରେ ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଆଦି ୮ଟି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖ ଦିନ ଗୁରୁଚାପ ବଳୟ ସାମାନ୍ୟ ଦକ୍ଷିଣମୁହାଁ ହେବା ଫଳରେ କଟକ, ଜଗତସିଂହପୁର, ଖୋର୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏଥିପାଇଁ ଏହି ୫ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୪ ତାରିଖ ଦିନ ଏହା ଆହୁରି ଦକ୍ଷିଣମୁହାଁ ହେବ ଓ କନ୍ଧମାଳ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏହାଛଡ଼ା ଏହି ୩ ଦିନରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏହାର ଦୃଶ୍ୟମାନ ଦୂରତା ୧ କିମି ରହିବ ବୋଲି କେନ୍ଦ୍ର କହିଛି।