ରୋଚକ ହେଉଛି ବାରଣାସୀର ଲଢେଇ । ମୈଦାନରେ ମୋଦିଙ୍କ ନିଆରା ପ୍ରତିଦ୍ୱନ୍ଦ୍ୱି, ଶାନ୍ତ ଗଙ୍ଗାର ଉପକୂଳରେ ଉଠିବ ରାଜନୀତିର ଜୁଆର । 

195

କନକ ବ୍ୟୁରୋ : ଧର୍ମନଗରୀ ବାରଣାସୀରୁ ନିର୍ବାଚନ ଲଢିବେ ନରେନ୍ଦ୍ର ମୋଦି । ପୂର୍ବଥର ଭଳି ଏଥର ବି ପ୍ରଧାନମନ୍ତ୍ରୀ ଭଦୋଦରା ଓ ବାରଣାସୀ ୨ଟି ଆସନରୁ ନିର୍ବାଚନ ଲଢିବେ । ଗଙ୍ଗା ପୂଜନ ରୋଡ ସୋ କରି ଆସନ୍ତା ୨୬ରେ ନାମାଙ୍କନ ଭରିବେ ମୋଦି । ହେଲେ ବାରଣାସୀରେ ମୋଦି ବିରୋଧରେ ଲଢିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରତିଦ୍ୱନ୍ଦ୍ୱିଙ୍କ ଯୋଗୁଁ ନିର୍ବାଚନ ରୋଚକ ହେବାକୁ ଯାଉଛି ।

ଧର୍ମନଗରୀ କାଶିରେ ଚଢିିବ ରାଜନୀତିର ପାରଦ । ଶାନ୍ତ ଗଙ୍ଗାର ଉପକୂଳରେ ଉଠିବ ରାଜନୀତିର ଜୁଆର । ଧର୍ମନଗରୀ କାଶି ପୁଣିଥରେ ୟୁପି ରାଜନୈତିକ ତାପମାନର ବାରୋମିଟର ହେବାକୁ ଯାଉଛି । ଆସନ୍ତା ୨୬ରେ ବାରଣାସୀରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ । ଗତଥର ନାମାଙ୍କନ ବେଳେ ମୋତେ ମା ଗଙ୍ଗା ଡାକିଛି କହିଥିବା ମୋଦି ଏଥର ମଧ୍ୟ ଗଙ୍ଗା ପୂଜନ, ବାବା ବିଶ୍ୱନାଥଙ୍କ ଦର୍ଶନ ଓ ରୋଡ ସୋ କରି ପ୍ରାର୍ଥୀପତ୍ର ଦାଖଲ କରିବେ । ଆଉ ମୋଦିଙ୍କ ନାମାଙ୍କନ ବେଳେ ଉତ୍ତରପ୍ରଦେଶରେ ଶକ୍ତି ପ୍ରଦର୍ଶନ କରିବାକୁ ବିଜେପି ଯୋଜନା କରିଛି । ରୋଡ ସୋରେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ରହିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଏହାଛଡା ରୋଡ ସୋରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିପାରନ୍ତି ।

ରୋଚକ ହେଉଛି ବାରଣାସୀର ଲଢେଇ । ମୈଦାନରେ ମୋଦିଙ୍କ ନିଆରା ପ୍ରତିଦ୍ୱନ୍ଦ୍ୱି । ୨୦୧୯ରେ ପ୍ରଧାନମନ୍ତ୍ରୀ ବାରାଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ପୂର୍ବରୁ ସ୍ଥିର ହୋଇଥିଲା । ହେଲେ ଏଥର ମୋଦିଙ୍କୁ ଟକ୍କର ଦେବାକୁ ରିଂକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଯୋଗୁଁ ଲଢେଇ ରୋଚକ ହେବାକୁ ଯାଉଛି । ପୂର୍ବତନ ବିଚାରପତି ସିଏସ କର୍ଣ୍ଣନ, ତାମିଲନାଡୁର ୧୧୧ ଚାଷୀ, ଦଳିତ ଆନ୍ଦୋଳନର ଚେହେରା ଚନ୍ଦ୍ରଶେଖର ଆଜାଦ, ବହିଷ୍କୃତ ବିଏସଏଫ ଯବାନ ତେଜବାହାଦୁର ଏବଂ ବନାରସ ୟୁନିଭରସିଟିର ପ୍ରଫେସର ବିଶ୍ୱମ୍ବର ନାଥ ମିଶ୍ରା ମୈଦାନକୁ ଓହ୍ଲାଇଛନ୍ତି ।

ଦଳିତ ଆନ୍ଦୋଳନର ଚେହେରା – ଚନ୍ଦ୍ର ଶେଖର ଆଜାଦ୍ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସବୁଠୁ ଚର୍ଚ୍ଚିତ ପ୍ରାର୍ଥୀ ଭିମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଆଜାଦ । ହକ୍ ପାଇଁ ଲଢେଇ ଓ ଶାଣିତ ଭାଷଣ ପାଇଁ ଚନ୍ଦ୍ରଶେଖର ଦଳିତ ଯୁବଗୋଷ୍ଠୀଙ୍କ ମଧ୍ୟରେ  ବେଶ ଚର୍ଚ୍ଚିତ । ମାର୍ଚ୍ଚ ୩୦ରେ ଚନ୍ଦ୍ରଶେଖର ରୋଡ ସୋ କରି ‘ମୋଦିଙ୍କ ପରାଜୟର କାଉଂଟଡାଉନ’ ଆରମ୍ଭ କରିଥିଲେ । ସେହିପରି କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ସିଏସ କର୍ଣ୍ଣନ ମୋଦିଙ୍କ ବିରୋଧରେ ବାରଣାସୀରେ ନିର୍ବାଚନ ଲଢୁ଼ଛନ୍ତି । ସୁପ୍ରିମକୋର୍ଟ ଅବମାନନା ମାମଲାରେ ୨୦୧୭ରେ ସେ ୬ ମାସ ଜେଲ ବି ଯାଇଥିଲେ । ଏବେ ସେ ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ଅଂଟା ଭିଡିଛନ୍ତି ।

ସେପଟେ ଯବାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସୋସିଆଲ ମିଡିଆରେ ଚର୍ଚ୍ଚା କରି ଗତବର୍ଷ ଲୋକଲୋଚନକୁ ଆସିଥିବା ବିଏସଏଫ ଯବାନ ତେଜବାହାଦୁର ମଧ୍ୟ ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି । ତେବେ ଯବାନଙ୍କ ସମସ୍ୟାକୁ ଲୋକଙ୍କ ନିକଟରେ ପହଂଚାଇବାକୁ ହାଇପ୍ରୋଫାଇଲ ଆସନ ବାରଣାସୀରୁ ଲଢୁଥିବା କହିଛନ୍ତି ।

ପ୍ରଫେସର ବିଶ୍ୱମ୍ବର ନାଥ ମିଶ୍ରା । ଗଙ୍ଗା ସଫେଇ ମୁଖ୍ୟ ପ୍ରସଙ୍ଗ । ସେହିପରି ଦିଲ୍ଲୀ ୟୁନିଭରସିଟିର ପ୍ରଫେସର ତଥା ସଂକଟମୋଚନ ମନ୍ଦିରର ମହନ୍ତ ବିଶ୍ୱମ୍ବର ନାଥ ମିଶ୍ର । ସେ ଗଙ୍ଗା ସଫେଇ ଅଭିଯାନ ଚଲେଇଛନ୍ତି । ଦିଲ୍ଲୀ ପରେ ବାରଣାସୀରେ ସ୍ୱର ଉଠାଇବେ ତାମିଲନାଡୁର ଚାଷୀ । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାମିଲନାଡୁର ୧୧୧ ଜଣ ଚାଷୀ ମଧ୍ୟ ଘୋଷଣା କରିଛନ୍ତି । ୨୦୧୭ରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିବା ଏହି ୧୧୧ ଚାଷୀ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ବାରଣାସୀରୁ ଲଢିବାକୁ ନିଷ୍ପତି ନେଇଛନ୍ତି ।

୨୦୧୯ ଭଳି ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେବାକୁ ଦିଲ୍ଲୀରୁ ବାରାଣାସୀ ଯାଇଥିଲେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ହେଲେ ସେ ମୋଦିଙ୍କ ଠାରୁ ୩ଲକ୍ଷରୁ ଅଧିକ ଭୋଟରେ ହାରିଥିଲେ । ନିର୍ବାଚନରେ ବାରାଣାସୀ ଲୋକସଭା ଆସନର ସ୍ୱତନ୍ତ୍ରତା ସବୁ ବେଳେ ରହି ଆସିଛି । ଦିନ କଂଗ୍ରେସର ମଜବୁତ ଗଡ ବୋଲାଉଥିବା ବାରଣାସୀ ଏବେ ଗୈରକ ବ୍ରିଗ୍ରେଡର ଅଭେଦ୍ୟ ଦୁର୍ଗ ପାଲଟିଛି ।