କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ହାତଗଣତି ଦିନ ରହିଯାଇଛି । ଏବେ ଶେଷ ପର୍ଯ୍ୟାୟରେ ଡିଜିଟାଲ ପ୍ରଚାର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରିଛି । ବିଜେପି ପକ୍ଷରୁ ଆସନ୍ତା ୬ କିମ୍ବା ୭ ତାରିଖରେ ଭର୍ଚୁଆଲ ରାଲି କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ବିଜେଡି ମଧ୍ୟ ଡିଜିଟାଲ ପ୍ରଚାର ପାଇଁ ପ୍ରସ୍ତୁତ ଅଛି । ଫେସବୁକ, ଟୁଇଟର, ହ୍ୱାଟ୍ସଆପରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ରଣନୀତି ତୟାର କରିଛି ।
ପଞ୍ଚାୟତ ପାଇଁ ଡିଜିଟାଲ ପ୍ରଚାର । ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇବେ ହେଭିୱେଟ୍ । ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ରହିଲା ଅଳ୍ପ ଦିନ । କରୋନା କଟକଣା ଭିତରେ ଗାଁ ଗଣ୍ଡାରେ ଚାଲିଛି ଘମାଘୋଟ ପ୍ରଚାର । କିନ୍ତୁ ପ୍ରଚାର ମାହୌଲକୁ ସରଗରମ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ୮୫୩ଟି ଜିଲ୍ଲାପରିଷଦ ଜୋନରେ ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଚାର କରିବାକୁ ଯୋଜନା କରିଛି ବିଜେପି । ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଲୋକଙ୍କୁ ପାଖକୁ ଯିବ ଦଳ । ଆସନ୍ତା ୬ କିମ୍ବା ୭ ତାରିଖରେ ଡିଜିଟାଲ ପ୍ରଚାରକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତା ସହିତ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ମଧ୍ୟ ଡିଜିଟାଲ କ୍ୟାମ୍ପେନିଂରେ ସାମିଲ ହୋଇପାରନ୍ତି ।
୨୦୧୭ ପଞ୍ଚାୟତ ନିର୍ବାଚନରେ କଡା ଟକ୍କର ସାମ୍ନା କରିଥିବା ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନକୁ ପୂରା ଦମରେ ଲଢୁଛି । ନୂଆ ରଣନୀତିରେ ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରିଛି ଦଳ । ଫେସବୁକ, ହ୍ୱାଟସଆପ ଗ୍ରୁପ, ଟ୍ୱିଟର ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରୁଛି ବିଜେଡି । ଏଥିପାଇଁ ବିଜେଡିର ମହିଳା, ଯୁବ, ଛାତ୍ର ଟିମକୁ ଡିଜିଟାଲ ପ୍ରଚାରର ଦାୟିତ୍ୱ ଦିଆଯାଇଛି । ବିଜେଡି ବିରୋଧରେ ହେଉଥିବା ଅପପ୍ରଚାର ଓ ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ପୁରା ଜୋସରେ କାମ କରୁଛି ବିଜେଡି ଟିମ୍ ।
ସେପଟେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା କୋହଳ ହୋଇଥିଲେ ବି ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ କୋଭିଡ ନିୟମ ବଳବତ୍ତର ରହିଛି । ତେଣୁ କୋଭିଡ କଟକଣା ଭିତରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଏକ ବଡ ମାଧ୍ୟମ ସାଜିଛି ।