ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଠେଲାପେଲା: ପ୍ରବଳ ଭିଡ ଯୋଗୁଁ ଘଂଟିଦ୍ୱାର ନିକଟରେ ଅସମ୍ଭାଳ ହେଲା ସ୍ଥିତି

92

କନକ ବ୍ୟୁରୋ: କାର୍ତିକ ମାସରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ, ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧୀ ଆନ୍ଦୋଳନ ବି କରିଥିଲେ । ହେଲେ ପରିକ୍ରମା ପ୍ରକଳ୍ପ ଆଳ ଦେଖାଇ ଦାବିକୁ ଅଣଦେଖା କଲା ଶ୍ରୀମନ୍ଦିର ପ୍ରଶାସନ । ବିରୋଧୀ ଅଭିଯୋଗ କରୁଛନ୍ତି ସେଇଥିପାଇଁ ଅଘଟଣ ଘଟିଲା, ଠେଲାପେଲାରେ ୩୦ଜଣ ଆହତ ହେଲେ । ଆଗକୁ କାର୍ତିକ ପୂର୍ଣ୍ଣିମା ଓ ନୂଆବର୍ଷରେ ଆହୁରି ଭିଡ଼ ହେବ । ପ୍ରଶ୍ନ ଉଠାଉଛନ୍ତି ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ।

ଦେଢ଼ ଘଂଟା ବିଳମ୍ବରେ ଅର୍ଥାତ ସକାଳ ୬ଟା ପରେ ଆରମ୍ଭ ହୋଇଥିଲା ଦ୍ୱାରଫିଟା ନୀତି । କାର୍ତିକ ମାସ ହୋଇଥିବାରୁ ଜଗା ଦର୍ଶନ ପାଇଁ ବଡ଼ି ଭୋରରୁ ଶ୍ରୀମନ୍ଦିର ଆଗରେ ଭିଡ଼ ଜମାଇଥିଲେ ଶହ ଶହ ଶଦ୍ଧାଳୁ ଓ ହବିଷ୍ୟାଳୀ । ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତୀ ଦେଖିବା ପାଇଁ ସାତପାହାଚ ଅଂଚଳ ଘଂଟିଦ୍ୱାର ନିକଟରେ ପ୍ରବଳ ଭିଡ଼ ଯୋଗୁଁ ଆରମ୍ଭ ହୋଇଗଲା ଠେଲାପେଲା । ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ଆହତ ହୋଇ ଯାଇଥିଲେ । ୧୦ ଜଣ ହବିଷ୍ୟାଳିଙ୍କୁ ଆମ୍ବୁଲାନ୍ସରେ ପୁରୀ ମେଡିକାଲକୁ ପଠା ଯାଇଥିବା ବେଳେ କିଛି ଆହତଙ୍କୁ ଶ୍ରୀମନ୍ଦିରରେ ଦିଆ ଯାଇଥିଲା ପ୍ରାଥମିକ ଚିକିତ୍ସା । ଜଗା ଦର୍ଶନ କରିନପାରି ଅନେକ ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପଡିଥିଲା ।

ନୀତିରେ ବିଶୃଙ୍ଖଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅସମ୍ଭାଳ ହୋଇ ପଡ଼ିଥିଲା ସ୍ଥିତି । ଏପଟେ କିନ୍ତୁ ଦଳାଚକଟା ଓ ଠେଲାପେଲା ଶବ୍ଦ ଭିତରେ ଛନ୍ଦି ହେଉଛି ପୁରୀ ପୁଲିସ । ଆଗକୁ ଦୀପାବଳି ଓ କାର୍ତିକ ପୂର୍ଣ୍ଣିମା ଆସୁଥିବାରୁ ଅଧିକ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହେବେ । ଶ୍ରଦ୍ଧାଳୁ ଓ ହବିଷ୍ୟାଳୀମାନେ କିପରି ଶୃଙ୍ଖଳାର ସହ ଦର୍ଶନ କରିବେ, ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପୁରୀ ଏସପି ।

ଏହି ନିଆରା ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାରୁ ତୁଳସୀ ଆସିବ କଂଗ୍ରେସ ଭବନ । କଂଗ୍ରେସ କର୍ମୀ ଯାଇ ସଂଗ୍ରହ କରିବେ ତୁଳସୀ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବେ ତୁଳସୀ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବେ ଦଳର ନେତା ଓ କର୍ମୀ ।

ସବୁଠୁ ବଡ଼ କଥା ହେଉଛି, ବିଭିନ୍ନ ମହଲରୁ ଦାବି ସତ୍ୱେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନେଉନାହିଁ ପ୍ରଶାସନ । କାର୍ତିକ ପୂର୍ଣ୍ଣିମା ଓ ନୂଆ ବର୍ଷରେ ପ୍ରବଳ ଭିଡ଼ ହେବ । କିପରି ଏହାକୁ ନିୟନ୍ତ୍ରଣ କରାଯିବ, ଏବେ ଠାରୁ ଚିନ୍ତା ନକଲେ, ବଡ଼ ଅଘଟଣର ଆଶଙ୍କା ରହିଛି ।