ମଦ ପାଇଁ ମରାମରି… ମଦ ଦୋକାନ ଖୋଲିବା ପରେ ସାରା ଦେଶରୁ ସାମ୍ନାକୁ ଆସିଲା ଅଭାବନୀୟ ଚିତ୍ର । ଦୋକାନ ଆଗରେ ପ୍ରବଳ ଭିଡ, ଗୋଟେ କିଣିବାକୁ ୨ କିଲୋମିଟର ଯାଏଁ ଲମ୍ବା ଲାଇନ । କିଏ ପେଟି ପେଟି ବୋହି ନେଉଛି ତ କିଏ ମଦ ନପାଇ ମାରପିଟ କରୁଛି…

1,073

କନକ ବ୍ୟୁରୋ: ତାଲାବନ୍ଦର ତୃତୀୟ ପର୍ଯ୍ୟାୟର ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଥିବା ବେଳେ ଦୋକାନ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ କିଲୋମିଟର ଯାଏଁ ଲମ୍ବିଛି ଏହି ଲାଇନ୍ । ଦିଲ୍ଲୀରେ ପରିସ୍ଥିତି ଏପରି ହେଲା ଯେ ମଦ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଛି ପୁଲିସ ।

ତେବେ ରାସ୍ତା ଉପରେ ଲୋକଙ୍କ ଭିଡ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ନୁହେଁ । ବରଂ ମଦ କିଣିବା ପାଇଁ ଦୋକାନ ଆଗରେ ଲାଗିଛି ଗହଳି । ତାଲାବନ୍ଦର ତୃତୀୟ ପର୍ଯ୍ୟାୟରେ ଦେଶର ଅନୁମତି ପ୍ରାପ୍ତ ଜୋନରେ ମଦ ଦୋକାନ ଖୋଲିଥିବା ବେଳେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ଅଂଚଳରେ । ଦିଲ୍ଲୀରେ ସବୁ ସୀମା ଟପିଯାଇଛନ୍ତି ମଦ କିଣିବାକୁ ଆସିଥିବା ଗ୍ରାହକ । ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଲଗାଇଛନ୍ତି ଲମ୍ବା ଲାଇନ୍ । ସେପଟେ ମଦ ପାଇଁ ଛତିଶଗଡରେ ବି ଏପରି ଲମ୍ବା ଲାଇନ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଆସି ଖରାରେ ଠିଆ ହୋଇ ମଦ କିଣିବାକୁ ଅପେକ୍ଷା କରିଛନ୍ତି ।

ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି ପାଇବା ମାତ୍ରେ ସାରା ଦେଶରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିବ ତାହା ବୋଧହୁଏ କେହି ଚିନ୍ତା କରିନଥିଲେ । ଦିଲ୍ଲୀରେ ଅସମ୍ଭାଳ ଭିଡ ହେବାରୁ ଲୋକଙ୍କୁ ଘଉଡାଇବା ପାଇଁ କୃଷ୍ଣନଗର ଅଂଚଳରେ ଲାଠି ଚାର୍ଜ କରିଛି ପୋଲିସ୍ । ଏପରିକି ମଦଦୋକାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ସେହିପରି ସବୁଠୁ ଅଧିକ କରୋନା ସଂକ୍ରମିତ ହୋଇଥିବା ମୁମ୍ବାଇରେ ମଧ୍ୟ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଇଛନ୍ତି ଲୋକେ ।

ତେବେ ଓଡିଶାର ଗ୍ରୀନ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ସୋମବାର ସକାଳୁ ପୁରୀରେ ମଦ ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଁଚି ଦୋକାନ ବନ୍ଦ କରାଇଥିଲେ । ସେପଟେ ବରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି । ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଥିଲେ ମଧ୍ୟ ଓଡିଶାର ସ୍ଥାନୀୟ ପ୍ରଶାସନ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନାହିଁ । କଟକରେ ମଧ୍ୟ ମଦ ଦୋକାନ ବନ୍ଦ ଥିବା ଜଣାପଡିଛି ।