ଶୀତରେ ଥରୁଛି ଉତ୍ତର ଭାରତ । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାଚ ଚଳାଚଳ ଠପ୍ । ହିମାଚଳ ପ୍ରଦେଶରେ ତୁଷାରପାତ ।

192

କନକ ବ୍ୟୁରୋ: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଜାରି ରହିଛି । ରାସ୍ତା ଘାଟରେ ବରଫର ମୋଟା ଆସ୍ତରଣ ଜମି ରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଜାତୀୟ ରାଜପଥରେ ଭୁସ୍କଳନ ମଧ୍ୟ ହୋଇଛି । ଉଧମପୁର ସାମରୋଲିରେ ଭୁସ୍କଳନ ଘଟିବା ଯୋଗୁଁ ରାସ୍ତାଘାଟରେ ଯାତାୟତ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି ।

ଖସୁଛି ପାରଦ, ବଢୁଛି ଶୀତ । ଜମ୍ମୁକଶ୍ମୀରର ଶ୍ରୀନଗରରେ ପ୍ରବଳ ତୁଷାର ପାତ ହୋଇଛି । ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ପାହାଡ଼ିଆ ଅଂଚଳ ହିମାଚଳ ପ୍ରଦେଶ ଉତରାଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବରଫ ବର୍ଷା ଲାଗି ରହିଛି । ଆଉ ଏହି ବରଫର ମଜା ନେବାକୁ ଜାମ୍ମୁର ଶ୍ରୀନଗରରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ରାସ୍ତାଘାଟ, ପାହାଡ଼ ପର୍ବତକୁ ଧଳା ଚାଦର ପରି ଢାଙ୍କି ରହିଛି ବରଫର ମୋଟା ଆସ୍ତରଣ । ବରଫପାତ ଯୋଗୁଁ ରାସ୍ତାରେ ଯାତାୟତ ମଧ୍ୟ ସମ୍ଭବ ହେଉନାହିଁ । ପୌର ପ୍ରଶାସନ ପକ୍ଷରୁ ବରଫ ସଫା ଗାଡ଼ି ସାହାଯ୍ୟରେ ରାସ୍ତା ସଫା କରାଯାଉଛି ।

ସେପଟେ ବରଫ ପାତ ଯୋଗୁଁ ଜମ୍ମୁକଶ୍ମୀରରେ ବିମାନ ସେବା ବନ୍ଦ ରହିଛି । ବରଫ ସଫା ଗାଡ଼ି ଦ୍ୱାରା ବିମାନବନ୍ଦରରୁ ବରଫ ସଫା କରାଯାଉଛି । ବିମାନ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବରଫପାତ ଭିତରେ ହିମାଚଳ ପ୍ରଦେଶର ଲାହୌଲ ସ୍ପିତିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ଆମ୍ବୁଲାନ୍ସରେ ନେବା ବାଟରେ ବରଫ ସୃଷ୍ଟି କରିଛି ପ୍ରତିବନ୍ଧକ । ଆମ୍ବୁଲାନ୍ସ ଟିମ୍ ରାସ୍ତାରୁ ବରଫ ସଫା କରି ରୋଗୀକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ସେପଟେ ପ୍ରତିଦିନ ବରଫ ପାତ ଜାରି ରହିଥିବାରୁ ଜାମ୍ମୁ ଶ୍ରୀନଗରର ରାଜରାସ୍ତାରେ ଅଟକି ରହିଛି ଶହ ଶହ ଟ୍ରକ୍ ।

ସେପଟେ ଉତରାଖଣ୍ଡର ଚମୋଲି, ଟିହରୀ, ପୌଡ଼ି ଗଡ଼ୱାଲରେ ପ୍ରବଳ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ପ୍ରଶାସନ ୟୋଲୋ ଆଲର୍ଟ ଜାରି କରିଛି । ସେହିପରି ଉତରାଖଣ୍ଡର ବଦ୍ରିନାଥ ଧାମରେ ପ୍ରବଳ ବରଫ ପାତ ଜାରି ରହିଛି । ବଦ୍ରିନାଥ ମନ୍ଦିର ଏବଂ ଏହର ଚାରିପଟେ ମୋଟା ଆସ୍ତରଣ ବରଫ ଜମି ରହିଛି ।