ଅସହ୍ୟ ଜାଡରେ ଥରୁଛି ଓଡିଶା, ଜନଜୀବନ ଅସ୍ତବ୍ୟସ୍ତ । କନ୍ଧମାଳରେ ପ୍ରବଳ ଥଣ୍ଡା ଅନୁଭୂତ । ଗଜପତିରେ କୁହୁଡି, ଦାରିଙ୍ଗିବାଡିର ସିମନବାଡିରେ ତୁଷାର ପାତ

208

କନକ ବ୍ୟୁରୋ: ରାଜ୍ୟରେ ଅସହ୍ୟ ଜାଡ । ଦୁଇ ଦିନ ତାପମାତ୍ରା ବଢିବା ପରେ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ ଲହରୀ । ସକାଳୁ ସକାଳୁ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ପାରଦ ୫ ଡୀଗ୍ରୀ ତଳେ ରହିଛି । ଆଜି ଦାରିଙ୍ଗିବାଡିର ସିମନବାଡିରେ ହୋଇଛି ତୁଷାରପାତ । ସେପଟେ ଗଜପତିରେ ମଧ୍ୟ ଅନୁଭୂତ ହେଉଛି ପ୍ରବଳ ଜାଡ । ସକାଳୁ ସକାଳୁ ଜାଡ ସାଙ୍ଗକୁ କୁହୁଡି ଦେଖିବାକୁ ମିଳିଛି । ଶୀତର ମଜା ନେବାକୁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି ।

ତେବେ ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ପାରଦ ୬.୮ ଡିଗ୍ରିକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବି ଥଣ୍ଡା ଅନୁଭୂତ ହୋଇଛି। ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ଥଣ୍ଡା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରି ଖସିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାକି ଅଞ୍ଚଳରେ ବି ପାଖାପାଖି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିଭଳି ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଥଣ୍ଡା ବଢ଼ିବ। ଏବେ ରାତିର ତାପମାତ୍ରା ଯେତିକି ରହିଛି ଆଉ ପାଖାପାଖି ୨ ଡିଗ୍ରି କମିବା ସହ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ବି ଘନ କୁହୁଡ଼ି ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।