ଜାଡରେ ଥରୁଛି ନିୟମଗିରି: ଶୀତରୁ ବର୍ତିବା ପାଇଁ ନିଆଁ ପୋଉଁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ; ସନ୍ଧ୍ୟା ହେଲେ ମାଡି ଆସୁଛି ଥଣ୍ଡା

100

କନକ ବ୍ୟୁରୋ: ନିୟମଗିରିରେ ରାଜ କରୁଛି ଶୀତ । ସନ୍ଧ୍ୟା ନଇଲେ ବଦଳୁଛି ସମୁଦ୍ର ଠୁ ୪୫୦୦ ଫୁଟ ଉପରେ ଥିବା ନିୟମଗିରିର ଚିତ୍ର । ପିଲା ଠାରୁ ବୁଢା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା । ଜାଡରୁ ରକ୍ଷା ପାଇବା ପାଇଁ ସଂଜ ନଇଁବା କ୍ଷଣି ନିଅାଁ ଉମ୍ଭେଇ ପାଖରେ ବସି ରହୁଛନ୍ତି ।

ସହର ଠୁ ଦୂରରେ ସମୁଦ୍ର ଠୁ ୪୫୦୦ ଫୁଟ ଉପରେ । ନା ଅଛି ସହରୀ ଚାକଚକ୍ୟ ନା ଜନ ଗହଳିର କୋଳାହଳ । ଅପହଂଚ ନିୟମଗିରି ପାହାଡକୁ ଛୁଇଁଛି ଶୀତ । ଆଉ ଶୀତରେ ଥରି ଉଠିଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ । ସରଳ ଜୀବନ ଯାପନ କରୁଥିବା ଏହି ଜଙ୍ଗଲି ମଣିଷ ପାଇଁ ଉଷୁମର ଆହା ଭରି ଦେଉଛି ନିଆଁ ଉମ୍ଭେଇ । ସଂଜ ନଇଁଗଲେ ଜାଡଶୀତ ଦାଉରୁ ବଂଚିବା ପାଇଁ ଜଙ୍ଗଲରୁ ସାଉଁଟି ଆଣିଥିବା କେଇ ଖଣ୍ଡ କାଠ ଜାଣି ନିଆଁ ପୋଉଁଛନ୍ତି ଡଙ୍ଗରିଆ କନ୍ଧ ।

ଡ଼ଙ୍ଗରିଆଙ୍କ ବାସ ସ୍ଥଳୀ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ । ଏଠାରେ ବର୍ଷା ଯେମିତି ଶୀତ ବି ଠିକ୍ ସେମିତି । ପାହାଡ଼ ଉପରୁ ଝରୁଥିବା ଝରଣାର ପ୍ରଭାବରେ ପାହାଡ ଉପରେ ବହୁଛି କୋହଲା ପବନ । ଶୀତ ଦିନର କଅଁଳିଆ ଖରାରେ ଦିନ ତମାମ ଡ଼ଙ୍ଗରରେ ଖଟି ସନ୍ଧ୍ୟାରେ ଘରକୁ ଫେରିବା ପରେ ଶୀତ ଦାଉରୁ ବର୍ତିବା ପାଇଁ ଘର ଅଗଣାରେ ଉମ୍ଭେଇରେ ନିଅାଁ ଜାଳି ବସୁଛନ୍ତି ଡଙ୍ଗରିଆ କନ୍ଧ ।