ଗରମ ହେଉଛି ଉପ-ନିର୍ବାଚନ ରାଜନୀତି । ବାଲେଶ୍ୱରରେ ୩ ପ୍ରମୁଖ ଦଳର ଜୋରଦାର ପ୍ରଚାର । ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ । କହିଲେ, ଭୋଟ ବେଳେ ଆସିଲ, ଜିତିବା ପରେ ଦିଲ୍ଲୀ ଚାଲିଗଲ । ପ୍ରତାପ ଷଡଙ୍ଗୀ କହିଲେ, ସାରା ଦେଶର ମନ୍ତ୍ରୀ କେବଳ ବାଲେଶ୍ୱରର ନୁହେଁ

107

କନକ ବ୍ୟୁରୋ : ଉପ-ନିର୍ବାଚନ ପାଇଁ ପ୍ରଚାର ସମୟରେ ନେତାଙ୍କୁ ପ୍ରଶ୍ନବାଣରେ ଘେରୁଛନ୍ତି ଜନତା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱରରେ ଯେତେବେଳେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ପ୍ରଚାର ମୌଦାନକୁ ଓହ୍ଲାଇଥିଲେ ସେତେବେଳେ ଜନତା ପଚାରିଥିଲେ ପ୍ରଶ୍ନ ଆଉ ମନ୍ତ୍ରୀ ରଖିଥିଲେ ଉତର । ଉପ-ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଜନତାଙ୍କ ଏପରି ପ୍ରତିକ୍ରିୟା ଭିନ୍ନ ରାଜନୈତିକ ଦୃଶ୍ୟପଟ ତିଆରି କରୁଛି ।

ଉପ-ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି , ରାଜନୈତିକ ପାଣିପାଗ ସେତିକି ଗରମ ହେଉଛି । ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ କିଛି ଏହିଭଳି ରୋଚକ ଦୃଶ୍ୟ ସାମ୍ନାକୁ ଆସୁଛି ।

ଜନତାଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ମନ୍ତ୍ରୀ, ବିଧାୟକ ଓ ପ୍ରାର୍ଥ । ବିଭିନ୍ନ ସମସ୍ୟାରେ ବୁଡି ରହିଥିବା ଭୋଟର ଏବେ ପ୍ରତିକ୍ରିୟାଶୀଳ ହେଉଛନ୍ତି । ଆଜି ଖୋଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜନତାଙ୍କ ପ୍ରଶ୍ନବାଣରେ ଶିକାର ହୋଇଥିଲେ । ବାଲେଶ୍ୱରର ମହାପଦା ଉଲଣ୍ଡା ଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଘେରିଲେ ଜନତା । ପ୍ରଶ୍ନ ଥିଲା, କାହିଁକି କାମ ହେଉନି । ଆଉ କେବେ ହେବ କାମ । ଆପଣ ରାଜଧାନୀରେ ରହୁଛନ୍ତି ଆମେ ଆପଣଙ୍କୁ ଦେଖା କରିପାରୁନୁ । ଏହା ଜବାବ ମଧ୍ୟ ରଖିଥିଲେ ପ୍ରତାପ ।

ସେପଟେ ଆସନ୍ତାକାଲିଠାରୁ ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟରେ ପ୍ରଚାର କରିବେ ନବୀନ । ଆସନ୍ତାକାଲି ତିର୍ତୋଲରେ ଡିଜିଟାଲ ସମାବେଶ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ କରିବେ ପ୍ରଚାର ।