ଓଡିଶାରେ ‘ବୁଲବୁଲ’ର ପ୍ରଭାବ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ପବନ ମାଡରେ କେନ୍ଦ୍ରାପଡା ଓ ଚାନ୍ଦବାଲିରେ ଭାଙ୍ଗିଲା ଗଛ, ଉଡିଲା ଛପର

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଜାରି ରହିଛି ବର୍ଷା

1,716

କନକ ବ୍ୟୁରୋ: ବାତ୍ୟା ବୁଲବୁଲର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ପାଗ ମେଘୁଆ ରହିବା ସହିତ ଝିପ ଝିପ ବର୍ଷା ଲାଗି ରହିଛି । କେଉଁଠି ତୁହାକୁ ତୁହା ବର୍ଷା ଲାଗି ରହିଛି , ଆଉ କେଉଁଠି ଝିପି ଝିପି ବର୍ଷା ଲାଗି ରହିଛି । ଉତର ଉପକୂଳ ଓଡିଶା ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବି ବୋହିବ ।

ଏପଟେ, ବୁଲବୁଲ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ହୋଇଛି । ଆଜି ସକାଳ ସୁଦ୍ଧା ୧୫୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ଘଂଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହୁଛି । ସମୁଦ୍ର ଭିତରେ ପାରାଦୀପଠାରୁ ମାତ୍ର ୧୩୦ କିମି ଦୂରରେ ବୁଲବୁଲ ଅତିକ୍ରମ କରୁଛି । ଏହାର ପ୍ରଭାବ ଏବେ ବେଶ୍ ଅନୁଭୂତ ହେଉଛି ।

ତେବେ କେନ୍ଦ୍ରାପଡା ରାଜନଗର ଅଂଚଳରେ ବୁଲବୁଲ ପ୍ରଭାବରେ ପ୍ରବଳ ବର୍ଷା । ୬୦ରୁ ୭୦ କିମି ବେଗରେ ପବନ ବହୁଛି । ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗରେ ତୁହାକୁ ତୁହା ଲାଗି ରହିଛି ବର୍ଷା । ବାତ୍ୟା ବୁଲବୁଲ ପ୍ରଭାବରେ ଲାଗି ରହିଛି ବର୍ଷା । ଏହା ସହିତ ଘଂଟାପ୍ରତି ୬୦ କିମି ବେଗରେ ପବନ ବହୁଛି । ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ସେହିଭଳି ବୁଲବୁଲ ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ଲାଗି ରହିଛି । ଭଦ୍ରକର ତୁହାକୁ ତୁହା ବର୍ଷା ହେଉଛି । ବର୍ଷା ସାଙ୍ଗକୁ ପବନ ୬୦ ରୁ ୭୦ କିମି ବେଗରେ ପବନ ବହୁଛି ।

 

ସମ୍ଭାବ୍ୟ ବାତ୍ୟା ବୁଲବୁଲରେ ଉପକୂଳ ଜିଲ୍ଲାରେ ହେବାକୁ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ତୁହାକୁ ତୁହା ବୈଠକ କରି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ମାଟି ଘର, ଖାଲୁଆ ଅଂଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ସ୍ôଥାନକୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି । ଅଶ୍ରୟ ସ୍ଥଳରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୦ଟି ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି ।