ପରିଚୟ ଖୋଜୁଥିଲେ, ଏବେ ପରିବାର ପାଇଲେ । ଅନାଥରୁ ପାଲଟିଲେ ଅର୍ଦ୍ଧାଙ୍ଗିନୀ । ସ୍ୱଧାର ଗୃହରୁ ଶାଶୁଘର ଗଲେ ପୂଜାରାଣୀ । 

825

କନକ ବ୍ୟୁରୋ: ଦିନେ ସେ ପରିଚୟ ଖୋଜୁଥିଲା ଆଉ ଏବେ ସେ ପରିବାର ପାଇବ । ଅନାଥରୁ ସେ ପାଲଟିବ ଅର୍ଦ୍ଧାଙ୍ଗିନୀ । ସ୍ୱଧାର ଗୃହରୁ ସେ ଯିବ ଶାଶୁଘର । ନାଲି ଶାଢୀ ପିନ୍ଧି, ସିନ୍ଥିରେ ସିନ୍ଦୂର ନାଇ ଆଜି ଶାଶୁଘର ଯିବ ଏ ଅନାଥ ଝିଅ । ହଁ, ଏ ସିନ୍ଥିର ସିନ୍ଦୂର ଆଉ ହାତର ଶଙ୍ଖା ପୂଜାରାଣୀଙ୍କୁୁ ଖାଲି ସ୍ତ୍ରୀର ମର୍ଯ୍ୟାଦା ଦେଇନି । ବରଂ ଦେଇଛି ନୂଆ ଗୋଟେ ପରିଚୟ । ସେ ଏବେ ଆଉ ଅନାଥ ନୁହଁନ୍ତି କି ତାଙ୍କ ପରିଚୟ ଆଉ ଅନାଥର ନୁହେଁ । ଏବେ ସେ ଅନାଥରୁ ପାଲଟିବାକୁ ଯାଉଛନ୍ତି ବିଜୟଙ୍କ ଅର୍ଦ୍ଧାଙ୍ଗିନୀ ।

ମାଆ ବାପାଙ୍କୁ ହରାଇଥିବା ପୂଜାରାଣୀ ୨୦୧୮ ମସିହାରେ ଚଣ୍ଡିଖୋଲରୁ ଉଦ୍ଧାର ହେଇ ଏଇ ସ୍ୱଧାର ଗୃହକୁ ଆସିଥିଲେ । ସେତେବେଳେ ନା ତାଙ୍କ ପାଖରେ କେହି ଥିଲେ, ନା ତାଙ୍କ ପାଖରେ କାହା  ପରିଚୟ ଥିଲା । ବାସ୍..ଅନାଥର ପରିଚୟ ନେଇ ଏଇ ସ୍ୱଧାର ଗୃହରେ ନୂଆ ଗୋଟେ ଜୀବନ ଆରମ୍ଭ କରିଥିଲେ ପୂଜାରାଣୀ ।

ସମୟ ବିତିବା ସହ ଏହାରି ଭିତରେ ପୂଜାଙ୍କ ସହ ଭେଟ ହୁଏ ବିଜୟଙ୍କର । ଦେଖା ଚାହାଁରେ ପସନ୍ଦ ଆଉ ପସନ୍ଦ କରିବା ପରେ ବିବାହ କରିବାର ପ୍ରତିଶ୍ରୁତି । ଦୁହିଁଙ୍କ ହୃଦୟ ଦୁହିଁଙ୍କ ମନର ପ୍ରଶ୍ନରେ  ହଁ ଭରିବା ପରେ ହାତଗଣ୍ଠି ପଡିବାକୁ ଆଉ ସମୟ ଲାଗିନଥିଲା । ବୈଦିକ ରୀତିନୀତିରେ ସାତ ଜନ୍ମର ସାଥୀ ହେଇଥିଲେ ବିଜୟ ଆଉ ପୂଜାରାଣୀ ।

ଅନାଥ ଝିଅଟିର ବାହାଘର କରିବାକୁ କିଛି ବି ଉଣା କରିନଥିଲେ ସ୍ୱଧାର ଗୃହର କର୍ମକର୍ତା । ସବୁ ବାହାଘର ପରି, ଏ ବାହାଘରରେ ବି ସୁନ୍ଦରିଆ ଟେଣ୍ଟ ବନ୍ଧା ହେଇଥିଲା, ଭୋଜିଭାତର ବି ଆସର ଜମିଥିଲା । ବରଯାତ୍ରୀ ନେଇ ବର ଆସିବା ପରେ, ଇଶ୍ୱରଙ୍କୁ ସାକ୍ଷୀ ରଖି ପୂଜା ମଥାରେ ସିନ୍ଦୁର ଦେଇଥିଲେ ବିଜୟ ଆଉ  ଶଙ୍ଖ ହୁଳହୁଳିରେ ଫାଟି ପଡିଥିଲା ସବୁଦିଗ ।

ସ୍ୱଧାର ଗୃହର ଏ ଆଦର୍ଶ ବିବାହରେ  ଆଖପାଖର ମୁରବୀ ଲୋକଙ୍କ ସହ  ଅତିରିକ୍ତ ଜିଲ୍ଲାପାଳ, ମହିଳା ଶିଶୁ ବିକାଶ ବିଭାଗର କର୍ମକର୍ତାମାନେ ମଧ୍ୟ ସାମିଲ ହେଇଥିଲେ । ସମସ୍ତେ ଏ ନବ ଦମ୍ପତିଙ୍କ ମଙ୍ଗଳ କାମନା କରିବା ସହ ଆର୍ଶୀବାଦ ବି ଦେଇଥିଲେ ।

ଦର୍ଶକ ବନ୍ଧୁ ଆପଣ ତ ଅନେକ ବିବାହ ଦେଖିଥିବେ । ହେଲେ ଏ ବିବାହ ନିଶ୍ଚିତ ସ୍ୱତନ୍ତ୍ର । ଏ ବିବାହ ଗୋଟିଏ ଅନାଥ ଝିଅକୁ ଖାଲି ସିନ୍ଦୂର ଆଉ ସ୍ୱାମୀର ପରିଚୟ ଦେଇନି । ବରଂ ଦେଇଛି ନୂଆ ଗୋଟେ ପରିବାର, ନୂଆ ଗୋଟେ ଖୁସିର ସଂସାର ।