ଖୋଲିବ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ପେଡ଼ି, ଜାଲରେ ପଡ଼ିବେ ପ୍ରଭାବଶାଳୀ : ୧୬ ଏକର ଚଳୁ କରିଛନ୍ତି, ଆର୍‌ଡିସି ରିପୋର୍ଟ ‌ଦେବେ

187

କନକ ବ୍ୟୁରୋ : କୋଟି କୋଟି ହିନ୍ଦୁ, ସାଢ଼େ ୪ କୋଟି ଓଡ଼ିଆଙ୍କ ବିଶ୍ୱାସ ଓ ଆସ୍ଥାର ସ୍ୱର୍ଗଦ୍ୱାରକୁ ମାଡ଼ି ବସିଥିବା ପ୍ରଭାବଶାଳୀଙ୍କୁ ଆଉ କ୍ଷମା ନାହିଁ। ଏବେ ଏହି ପ୍ରସଙ୍ଗ ଖୋଲିବାକୁ ଯାଉଛି। ସରକାରୀ ଜମିକୁ ମ‌ାଡ଼ି ବସି ସମୁଦ୍ର କୂଳରେ ଶ୍ମଶାନ ଜମିରୁ କୋଟି କୋଟି ଟଙ୍କା ଏମାନେ ଆୟ କରୁଥିଲେ। ନିୟମିତ ଖବର ପରିବେଷଣ ପରେ ଏବେ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ପେଡ଼ି ଖୋଲିବାକୁ ଯାଉଛି। ଯିଏ ଯେତେ ବଡ଼ ପ୍ରଭାବଶାଳୀ ହୁଅନ୍ତୁନା କାହିଁକି, ବେଆଇନ ଜମି ସେମାନଙ୍କୁ ଫେରାଇବାକୁ ପଡ଼ିବ। ଜମି ହଡ଼ପ କରି ମାଡ଼ି ବସିଥିବା ଜମି ମାଲିକ ବର୍ଷ ବର୍ଷ ଧରି ଯେଉଁ କ୍ରିମ୍‌ ଖାଇ ଆସୁଥିଲେ, ଏଣିକି ସରକାରଙ୍କୁ ଭାଗ ଦେବାକୁ ହେବ।

ଏ ନେଇ ଆର୍‌ଡିସି ସ୍ତରୀୟ ଯେଉଁ ତଦନ୍ତ ରିପୋର୍ଟ ଆସିଥିଲା ତା’ର ସାନି ତଦନ୍ତ ହେବ। ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ୯ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା ପ୍ରଥମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ପୂରା ସ୍ୱର୍ଗଦ୍ୱାର ଜମିକୁ କଣ୍ଠାଗ୍ରତ କରିଥିବା ମାଲିକଙ୍କ ମଧ୍ୟରେ ଏହାକୁ ନେଇ ଭାଳେଣି ପଡିଛି। ତେବେ ସ୍ୱର୍ଗଦ୍ୱାର ଜମି ଫେରି ଆସିବା ପାଇଁ ଖୁବ୍‌ଶୀଘ୍ର ତଦନ୍ତ ହେବ ‌ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

ସ୍ୱର୍ଗଦ୍ୱାରର ମୋଟ ୧୬ ଏକର ଜମିକୁ କଣ୍ଠାଗ୍ରସ୍ତ କରିଥିବା ନେତା, ବ୍ୟବସାୟୀ ମୂଳ ଶ୍ମଶାନ ଜମିକୁ ମାଡ଼ି ବସିଛନ୍ତି। ୧୬ ଏକର ପରିମିତ ସ୍ୱର୍ଗଦ୍ୱାର ଜମି ଏବେ ମାତ୍ର ୪୬ ଡେସିମିଲରେ ସୀମିତ ହୋଇ ରହିଛି। ଏବେ ସେହି ୪୬ ଡେସିମିଲ ଜମିରେ ଆଧୁନିକୀକରଣ ଚାଲୁଛି। ତେବେ ସ୍ୱର୍ଗଦ୍ୱାର ଜମିକୁ ଦଲାଲ ମାଡ଼ି ବସିଛନ୍ତି। ତଥ୍ୟ ମୁତାବକ, ୧୮୯୯ ହାଲ ରେକର୍ଡରେ ବାଲିସାହି ମୌଜା‌ରେ ଖାତା ନମ୍ବର ୩୩ରେ ‌‌ମୋଟ ୩୦ ଏକର ୧୦୦ ଡେସିମିଲ, ୮୫୩ ନଂ ପ୍ଲଟରେ ୧୬ ଏକର ୪୦ ଡେସିମିଲ ଜମି ସ୍ୱର୍ଗଦ୍ୱାର ଶ୍ମଶାନ ଭାବେ ବ୍ୟବହୃତ ହୋଇଥିଲା।

ଏହି ଜମିର ମାଲିକାନା ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମାର୍ଫତ ଶଙ୍କର ମଧୁସୂଦନ, ତୀର୍ଥ ସ୍ୱାମୀ ଗୁରୁ ଦାମୋଦର ତୀର୍ଥସ୍ୱାମୀ ଜାତି ବୈଷ୍ଣବ, ବାଲିସାହି ପୁରୀ ନାମରେ ରେକର୍ଡ ଥିଲା। ୧୯୮୯-୯୦ରେ ପ୍ରକାଶିତ ହାଲ ଖାତା ନଂ ୮୪୩ ପ୍ଲଟ ନଂ ୧୪୫୫ରେ ମାତ୍ର ୪୬ ଡେସମିଲ ୪ କଡି ଜମି ସ୍ୱର୍ଗଦ୍ୱାର ଶ୍ମଶାନ ଭାବେ ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୬ ଏକର ଜମି ବେଆଇନ ଭାବେ କିଛି ପ୍ରଭାବଶାଳୀ ହଡ଼ପ କରି ନେଇଥିଲେ।

ଏ ନେଇ ଅଭିଯୋଗ ହେବା ପରେ ୨୦୧୧ରେ ଏହାର ତଦନ୍ତ କରାଯାଇଥିଲା। ସେତେବେଳେ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଏକ ବଡ଼ ଧରଣର ଜମି ଜାଲିଆତି ଧରାପଡ଼ିଥିଲା। ୨୦୧୧ରେ ରାଜସ୍ୱ ପରିଷଦ ପୁରୀ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏହାର ତଦନ୍ତ କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କୁ ଏ ନେଇ ରିପୋର୍ଟ ମଧ୍ୟ ଦେଇଥିଲେ। ସ୍ୱର୍ଗଦ୍ୱାର ଶ୍ମଶାନକୁ ଲାଗି ଖାତା ନଂ ୬୬୩, ପ୍ଲଟ ନମ୍ବର ୧୨୫୭, ୧୨୬୭ ଓ ୧୪୫୨ରେ ରହିଥିବା ଏକ ଏକର ୮୪୨ ଡେସିମିଲ ଜମି ଜାଲିଆତି କରି ରେକର୍ଡ କରାଯାଇଥିବା ଜଣାପଡ଼ିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ପୁରୀ ତହସିଲଦାର ପୁରୀ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏ ସଂପର୍କରେ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା। ସବୁ ପ୍ରକାର ତଥ୍ୟ ପ୍ରମାଣ ଥାଇ ବି ସ୍ୱର୍ଗଦ୍ୱାର ଜମି ମହାଦୁର୍ନୀତିକୁ ଚାପି ଦିଆଯାଇଥିଲା।