କନକ ବ୍ୟୁରୋ: ଆଗକୁ ତାପମାତ୍ରା ଆହୁରି ବଢ଼ିବ। ତାତି ସହ ଗରମ ଓ ଗୁଳୁଗୁଳି ବି ବଢ଼ିବ। ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓଡ଼ିଶାର ତାପମାତ୍ରା ଏହି ସମୟରେ ଅଧିକ ରହିବ। ଏହି ସମୟରେ ରାତିର ତାପମାତ୍ରରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। କିଛି କିଛି ସ୍ଥାନରେ ଉପରବେଳା ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ଏହାଦ୍ବାରା ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କରିଛି।

Advertisment

ଆକଳନ କହୁଛି, ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଲଗାତାର ବଢ଼ି ଚାଲିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। କିନ୍ତୁ ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୩୦ ତାରିଖ ଦିନ ଉପକୂଳ ଓଡ଼ିଶାର ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେଉଁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ସେହିପରି ୩୧ ତାରିଖ ଦିନ ରାୟଗଡ଼ା, ଗଜପତି, କୋରାପୁଟ, କନ୍ଧମାଳ, କେଉଁଝର ଓ ମୟୂରଭଞ୍ଜ ଆଦି ଅଞ୍ଜଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି। ଗତକାଲି ଅନୁଗୁଳର ତାପମାତ୍ରା ୩୯.୫ ଡିଗ୍ରି ରହିଥିବା ବେଳେ ନୟାଗଡ଼ରେ ୩୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।