କନକ ବ୍ୟୁରୋ: ରାଜ୍ୟ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆହୁରୀ ୫ ଦିନ ଏଭଳି ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏବେ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ତାତି ଆହୁରୀ ବଢିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏପରିକି ୩ ଦିନ ଭିତରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ଗତକାଲି ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତପ୍ତ ସହର ପାଟଲିଛି ।
ମାଲକାନଗରିରି ସମେତ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ, ବଲାଙ୍ଗୀର ତାପମାତ୍ରା ୪୦.୨ ଥିବା ବେଳେ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଛି । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାରେ ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଂଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।