ମାର୍ଚ୍ଚ ପହିଲାରୁ ତାତି ଚିନ୍ତା: ପ୍ରସ୍ତୁତ ରହିବା ପାଇଁ ପରାମର୍ଶ, ସତର୍କ କଲା ଗଣଶିକ୍ଷା ବିଭାଗ

430

କନକ ବ୍ୟୁରୋ: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଉପରମୁହାଁ ପାରଦ । ତାତିଲାଣି ମାର୍ଚ୍ଚ । ଆଗାମୀ ୪ ଦିନରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏଣେ ଚାଲିଛି ପରୀକ୍ଷା । ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଉଛନ୍ତି । ବଢୁଥିବା ତାତି ଅଭିଭାବକଙ୍କ ଚିନ୍ତା ବଢାଇଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଜରିଆରେ ସତର୍କ କରାଇଛନ୍ତି ରାଜ୍ୟ ସରକାର ।

ସ୍କୁଲ, କଲେଜରେ ଏବେ ପିଲାଙ୍କ ପରୀକ୍ଷା ଚାଲିଛି । ପାଠ ପଢ଼ାକୁ ଦୃଷ୍ଟିରେ ରଖି ନିୟମିତ ସ୍କୁଲ କିମ୍ବା କଲେଜ ଆସୁଛନ୍ତି ଛାତ୍ରଛାତ୍ରୀ । ହେଲେ, ମାର୍ଚ୍ଚ ପହିଲାରୁ ଅବିଭାବକଙ୍କ ଚିନ୍ତା ବଢ଼ାଇଲାଣି ଖରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଜିଲ୍ଲା ଶିକ୍ଷାଧିକାରୀ ଚିଠି ଜରିଆରେ ସତର୍କ କରାଯାଇଛି । ଏଥିରେ କୁହାଯାଇଛି-

– ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥାକୁ ନିଶ୍ଚିତ କରାଯାଉ
– ସ୍କୁଲ ପରିସରରେ ଥିବା ଟ୍ୟୁବ୍ ୱେଲ୍ର ମରାମତି ଆବଶ୍ୟକ ଥିଲେ, ମରାମତି କରାଯାଉ
– ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆବଶ୍ୟକ ଉପକରଣ ତଥା ଔଷଧ ମହଜୁଦ ରଖାଯାଉ
– ସ୍କୁଲ ବାହାରେ କୌଣସି କାର୍ଯ୍ୟକ୍ରମ ରଖାନଯାଉ

ଗ୍ରୀଷ୍ମ ପ୍ରବାହର ଏହି ସତର୍କତାମୂଳକ ପଦକ୍ଷେପ ଭିତରେ ଚିନ୍ତା ବଢ଼ାଇଛି ପାଣିପାଗ ବିଭାଗର ଆକଳନ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହର ପରିମାଣ ବଢ଼ିବ । ଏହା ଫଳରେ ତାତି ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ଭିତରେ ତାପମାତ୍ର ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାତି ବଢ଼ିପାରେ । ବଡ଼ କଥା ହେଉଛି ଫେବୃୟାରୀ ମାସରୁ ଓଡ଼ିଶାରେ ତାପମାତ୍ର ୩୭ ଡିଗ୍ରୀ ଅତିକ୍ରମ କରି ସାରିଲାଣି । ଏଭଳି ସ୍ଥିତିରେ ଆଗକୁ ତାତିର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଉତରାୟଣ ଗତି କରୁଛି ସୂର୍ଯ୍ୟ । ଫଳରେ ତାପମାତ୍ରା ବୃଦ୍ଧି ପାଉଛି । ଦଣିକ୍ଷ ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗ ଦେଇ ଆସୁଛି ଗୁରୁଚାପ । ଯାହା ଓଡ଼ିଶାର ଦଣିକ୍ଷ ପଶ୍ଚିମ ଦିଗରେ ପବନ ବହୁଛି । ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ମାର୍ଚ୍ଚ ଆରମ୍ଭରୁ ତାତି ଯେଉଁ ରୂପ ଦେଖାଇଲାଣି, ଆଗକୁ କ’ଣ ହେବ, ତାହା ହୁଏତ ଅନୁମାନ କରିହେଉଛି । ଏଭଳି ସ୍ଥିତିରେ ଗ୍ରୀଷ୍ମ ପ୍ରବାହ ମୁକାବିଲା କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।