କନକ ବ୍ୟୁରୋ: ଲକଡାଉନ୍ ପାଇଁ ଗାଡ଼ି ମଟର ଚାଲୁନି। ଶିଳ୍ପାନୁଷ୍ଠାନ ବି ବନ୍ଦ। ତା’ ପରେ ବି ଏପ୍ରିଲ ଅଧାରେ ରାଜଧାନୀରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମପ୍ରବାହ। ସପ୍ତାହେ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୯ଟା ହେବା କ୍ଷଣି ନିଆଁ ବର୍ଷିବା ଭଳି ଟାଣ ଖରା ହେଉଛି ଏବଂ ମଧ୍ୟାହ୍ନ ସମୟରେ ସ୍ଥିତି ଆହୁରି ବିଗିଡ଼ି ଯାଉଛି।
ଲୋକେ ଘରୁ ବାହାରୁ ନ ଥିଲେ ମଧ୍ୟ ଟାଣ ଖରାରେ ଘର ଭିତରେ ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଉ ଯେଉଁମାନେ ଲକଡାଉନ୍ ସମୟରେ ବାହାରେ ବୁଲି ଜରୁରୀ କାମ କରୁଛନ୍ତି, ସେମାନଙ୍କ କଥା ନ କହିବା ଭଲ। ସକାଳ ୯ଟାଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ତତଲା ପବନରେ ଦେହ ମୁଣ୍ଡ ଶିଝି ଯାଉଛି।ଯଦି ଦେଖାଯାଏ, ପଣା ସଂକ୍ରାନ୍ତି ଦିନଠାରୁ ସହରରେ ତାପମାତ୍ରା ବହୁ ପରିମାଣରେ ବଢ଼ିଛି। ଗାଡ଼ି, ମଟର ଓ ଶିଳ୍ପ ସଂସ୍ଥା ଚାଲୁ ନଥିଲେ ବି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ପାର ହୋଇଛି। ଯଦି ଏହି ସମୟରେ ଗାଡ଼ି ଓ ଶିଳ୍ପ ସଂସ୍ଥା ଚାଲିଥା’ନ୍ତା, ତେବେ ତାପମାତ୍ରା ୪୫ ଡିଗ୍ରିରେ ପହଞ୍ଚି ଥା’ନ୍ତା ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବିଗତ କିଛି ବର୍ଷ ହେଲା ଦେଖିବାକୁ ମିଳିଛି ଯେ ଏପ୍ରିଲ ମାସରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରୁଥିଲା। ତେବେ ଏଥର ଏପ୍ରିଲ ୧୬ସୁଦ୍ଧା ସହରର ତାପମାତ୍ରା ମାତ୍ର ଗୋଟିଏ ଥର ୪୦ଡିଗ୍ରି ଉପରକୁ ଯାଇଛି। ନହେଲେ ଗତ ୧୦ ଦିନ ହେଲା ଅନେକ ଥର ୩୯ଡିଗ୍ରି ଥିଲା। ଆସନ୍ତା ୫ଦିନ ପାଇଁ ସହରର ତାପମାତ୍ରା ଅପରିବର୍ତ୍ତିତ ରହିବ। ଗୋଟେ ଦୁଇ ଡିଗ୍ରି ଏପାଖ ସେପାଖ ହୋଇପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ୧୯୪୮ରେ ବ୍ଲୁ ପ୍ରିଣ୍ଟ ଅନୁଯାୟୀ, ରାଜଧାନୀର ସ୍ଥିତି ଯାହା ଥିଲା, ଏବେ ବହୁ ପରିମାଣରେ ବୃଦ୍ଧି ପାଇଛି। ସହର ବଢ଼ିବା ସହ ଗାଡ଼ି ସଂଖ୍ୟା ବି ବଢ଼ି ଚାଲିଛି। ଏହା ସହରର ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ। ଯଦି ଦେଖାଯାଏ, ୨୦୦୪ରେ ଭୁବନେଶ୍ୱରରେ ୩ ଲକ୍ଷ ୭୦ ହାଜର ଗାଡ଼ି ଥିଲା। ଏବେ ଏହି ସଂଖ୍ୟା ୧୨ଲକ୍ଷ ଟପିଲାଣି।
୨୦୦୪ରେ ୩ ଲକ୍ଷ ଲୋକ ବାଇକ୍ ଚଳାଉଥିବା ବେଳେ ଏବେ ଏହି ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଲାଣି। ଯେଉଁଥିପାଇଁ ଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଦିନେ ତାପମାତ୍ରା ୪୫ଡିଗ୍ରି ଡେଇଁ ଯାଉଛି। ତେବେ ଗତ ଏକ ମାସ ହେଲା ଲକଡାଉନ୍ ହେବା ଦ୍ୱାରା ଗାଡ଼ି ଚଳାଚଳ କମିଛି। ଶିଳ୍ପ ସଂସ୍ଥା ବି ବନ୍ଦ ରହିଛି। ତେଣୁ ତାପମାତ୍ରା ୩ରୁ ୪ଡିଗ୍ରି କମ ରହିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସହରାଞ୍ଚଳ ବୃଦ୍ଧି, କୋଠାଘର ସଂଖ୍ୟା ବଢ଼ିବା, ସହରରେ ଜଳାଶୟ କମିବା ଯୋଗୁଁ ତାପମାତ୍ରା ଅଧିକ ରହିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଛି। ଏଥିସହ ସହରରେ ନିର୍ମାଣ କରାଯାଇଥିବା କୋଠାଗୁଡ଼ିକ ପ୍ଲାନିଂରେ ହେଉ ନଥିବାରୁ ବଙ୍ଗୋପସାଗରୀୟ ପବନ ଭୁବନେଶ୍ୱରକୁ ଆସିପାରୁନି। ଲକଡାଉନ୍ ଯୋଗୁଁ ବହୁ ଲୋକ ଘର ଭିତରେ ରହୁଥିବାରୁ ଏସି, ଫ୍ରିଜ ଆଦି ଚାଲୁଛି। ଫଳସ୍ୱରୂପ ତାପମାତ୍ରା କମୁ ନାହିଁ, ବରଂ ଅଧିକ ରହୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/WEATHER-5.jpg)