ଶିକ୍ଷାବିତ୍ ଓ ସମାଜସେବୀ ଭାବେ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ଡକ୍ଟର ସତ୍ୟବ୍ରତ ମୀନକେତନ ବାରଙ୍ଗର ଭାଲୁଙ୍କାରେ ‘ହେଲ୍ଥଭିଲ୍’ ନାମରେ ଏକ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ପ୍ରତିଷ୍ଠା କରିଛନ୍ତି । ଏବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲ୍ଥଭିଲ୍ ପ୍ରାକୃତିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ଖୋଲିବାର ଉଦ୍ଦେଶ୍ୟ କ’ଣ ?
ହେଲ୍ଥଭିଲ୍ ଖୋଲିବା ପଛର ଉଦ୍ଦେଶ୍ୟ ହେଉଛି ଧ୍ୟାନ, ଯୋଗ, ପ୍ରାଣାୟାମ ଓ ଆସନ ପ୍ରକ୍ରିୟାରେ ସମସ୍ତ ରୋଗର ନିଦାନ ଓ ନିରାକରଣ କରିବା। କୌଣସି ରସାୟନ ଓ ରାସାୟନିକ ଔଷଧ, ଅସ୍ତ୍ରୋପଚାର ଓ ଭେଷଜ ଚିକିତ୍ସା ପଦ୍ଧତି ଓ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ବିନା ଅତି ସ୍ବଳ୍ପ ବ୍ୟୟ କିମ୍ବା ବିନା ଖର୍ଚ୍ଚରେ ପ୍ରାକୃତିକ ପଞ୍ଚଭୂତ ଚିକିତ୍ସା ମାଧ୍ୟମରେ ପୁରୁଣା ଓ ନୂଆ ରୋଗର ନିଦାନ ଓ ନିରୂପଣ କରିବା। ପଞ୍ଚମହାଭୂତ ଭିତ୍ତିକ ଚିକିତ୍ସା ପଦ୍ଧତି ସହଜ, ସରଳ, ଯନ୍ତ୍ରଣାବିହୀନ ଓ ବ୍ୟୟବିହୀନ ମଧ୍ୟ।
ଏହା କେଉଁଠାରେ ଖୋଲାଯାଇଛି ?
ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଭାଲୁଙ୍କା ଅଞ୍ଚଳରେ ସବୁଜ, ଶାନ୍ତ, ପ୍ରାକୃତିକ ଏବଂ ପ୍ରଦୂଷଣମୁକ୍ତ ପରିବେଶରେ ୨୫ ଏକରର ଏକ ଉପତ୍ୟକାରେ ଏହାକୁ ସ୍ଥାପନ କରାଯାଇଛି।
କେଉଁ ରୋଗ ପାଇଁ ଏଠାରେ ବିଶେଷ ସୁବିଧା ରହିଛି ?
ଶ୍ବାସଜନିତ ରୋଗ, ରକ୍ତଚାପ, ମଧୁମେହ, ମେଦବହୁଳତା, ପ୍ଲିହାରୋଗ, ପରିପାକ ଦୋଷ, ସ୍ତ୍ରୀମାନଙ୍କ ଅସନ୍ତୁଳିତ ଋତୁଚକ୍ର, କର୍କଟ, ମାନସିକ ଚାପ ଜନିତ ରୋଗ ଏବଂ ବିଭିନ୍ନ ଆଲର୍ଜିର ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେଉଛି।
ହେଲ୍ଥଭିଲ୍ ପାଇଁ କେଉଁଠୁ ପ୍ରେରଣା ପାଇଲେ ?
ପ୍ରାଚୀନ କାଳରେ ଆମ ଦେଶର ମହାନ ବ୍ୟକ୍ତିତ୍ବ ଚରକ, ସୁଶ୍ରୁତ ଆଦିଙ୍କ ଦ୍ବାରା ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ଅନେକ ଦୁରାରୋଗ୍ୟ ଦୂର କରିପାରୁଥିବାର ପୌରାଣିକ ଓ ଐତିହାସିକ ତଥ୍ୟ ଓ କୃତି ମୋତେ ସର୍ବଦା ପ୍ରଭାବିତ ଓ ଉତ୍ସାହିତ କରିଥାଏ। ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ସ୍ବାସ୍ଥ୍ୟଶ୍ରମ ମଧ୍ୟ ମୋତେ ଖୁବ୍ ପ୍ରଭାବିତ କରିଛି। ଗାନ୍ଧୀଜୀଙ୍କ ଆଦର୍ଶ ଓ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ମୁଁ ଏହି ଚିକିତ୍ସା କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମର ନାମ ଶାନ୍ତିବନ ରଖିଛି।
ପ୍ରାକୃତିକ ଚିକିତ୍ସା ଉପରେ ଆପଣ ଲେଖିଥିବା ବହିଗୁଡ଼ିକ ବିଷୟରେ କିଛି କହିବେ କି ?
ପ୍ରାକୃତିକ ଚିକିତ୍ସା ଉପରେ ଆଧାରିତ ଚାରିଟି ପ୍ରମୁଖ ପୁସ୍ତକ ହେଉଛି ୟୁ କ୍ୟାନ୍ ପ୍ଲାନ୍ ୟୋର ଡାଏଟ୍, ୟୁ କ୍ୟାନ୍ ସେ ନୋ ଟୁ ଡକ୍ଟର, ୟୁ କ୍ୟାନ୍ ସେ ନୋ ଟୁ ମେଡିସିନ୍ ଓ ୟୁ କ୍ୟାନ୍ ଲିଡ୍ ହେଲ୍ଦି ଲାଇଫ୍। ଏହି ପୁସ୍ତକଗୁଡ଼ିକର ଆଭିମୁଖ୍ୟ ହେଉଛି ସୁଷମ, ପ୍ରାକୃତିକ ଖାଦ୍ୟପେୟ, ଶୃଙ୍ଖଳିତ ଜୀବନଶୈଳୀ, ଯୋଗ, ପ୍ରାଣାୟମ ଓ ଧ୍ୟାନ ଜରିଆରେ ସବୁ ରୋଗର ନିଦାନ ଓ ନିରାକରଣ।
ଏଥିରେ ଗରିବ ଲୋକଙ୍କ ପାଇଁ କ’ଣ ବ୍ୟବସ୍ଥା ରଖିଛନ୍ତି ?
ଅତି କମ୍ ଖର୍ଚ୍ଚରେ ଓ ବିନା ଖର୍ଚ୍ଚରେ ଗରିବ ଲୋକମାନେ ଏହି ପ୍ରାକୃତିକ ପଦ୍ଧତିର ସହଜ ଲାଭ ନେଇପାରିବେ। ନିଃସହାୟ ଲୋକମାନଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି।
କେଉଁ ସ୍ଥାନର ଲୋକମାନେ ଚିକିତ୍ସା ପାଇଁ ଆସୁଛନ୍ତି ?
ଦେଶ ତଥା ବିଶ୍ବର ବିଭିନ୍ନ ସ୍ଥାନରୁ ଉତ୍ତମ ସ୍ବାସ୍ଥ୍ୟପ୍ରେମୀମାନେ ଏଠାକୁ ଆସୁଛନ୍ତି। ବର୍ଷ ସାରା ସେମାନଙ୍କ ଆଗମନ ଲାଗି ରହିଥାଏ। ବିଭିନ୍ନ ବର୍ଗର ଲୋକ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି।
ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ ?
ଓଡ଼ିଶାର ଅଗ୍ରଣୀ ଓ ନିରନ୍ତର ଜନପ୍ରିୟ ସମ୍ବାଦପତ୍ର ଭାବେ ସମ୍ବାଦ ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଅଭିଯାନ ଏକ ଉଚ୍ଚ ମାନର ଯୋଜନା ଯାହା ଆମ ଓଡ଼ିଶାର ବିଭିନ୍ନ ପ୍ରମୁଖ ଓ ପ୍ରସିଦ୍ଧ ବ୍ରାଣ୍ଡ୍ଗୁଡ଼ିକୁ ସାରା ଭାରତ ଓ ବିଶ୍ବରେ ଲୋକଲୋଚନକୁ ଆଣିପାରିବ। ସମ୍ବାଦର ଏହି ଭିନ୍ନମୁଖୀ କାର୍ଯ୍ୟକ୍ରମ ବେଶ୍ ପ୍ରଶସଂନୀୟ।