ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୨୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

131

କନକ ବ୍ୟୁରୋ: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଫଳରେ ଆଭ୍ୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହିତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଆଗାମୀ ୩ ଦିନ ଓଡିଶାର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨୪ ଘଂଟା ଭିତରେ ଦିନର ତାପମାତ୍ରା ପାଖାପାଖି ୨ ଡିଗ୍ରୀ ବୃଦ୍ଧି ପାଇପାରେ । ଏହାପରେ ଆଗାମୀ ୩ ଦିନ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡା, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣି ଜାରି କରିଛି ।

ଅନ୍ୟପଟରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ଓଡିଶା ତଟରୁ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଉପକୂଳରେ ଘଣ୍ଟା ପ୍ରତି ପବନ ୪୦-୫୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଆଗାମୀ ୪୮ ଘଂଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।