ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ୧୬ ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

123

କନକ ବ୍ୟୁରୋ: ପ୍ରବଳ ଖରାରେ ସିଜୁଛି ସାରା ଓଡିଶା । ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ଗ୍ରୀଷ୍ମ ଲହରୀ ଦେଖିବାକୁ ମିଳିଛି । ଏହାରି ଭିତରେ ୧୬ ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ,  ସୋନପୁର, ବଲାଙ୍ଗିର, ନୂଆପଡା, କନ୍ଧମାଳ, କେନ୍ଦୁଝର,  ମୟୁରଭଞ୍ଜ, ଦେବଗଡ, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ।

ତେବେ ଆଶ୍ୱସ୍ତିର କଥା ହେଲା, ଆସନ୍ତାକାଲିଠାରୁ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲିପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପଟେ ହଠାତ ସାରା ରାଜ୍ୟରେ ଗରମ ବଢିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ତାତି ଅନୁଭୁତ ହେଉଛି । କିଛି ଦିନ ହେବ ଜିଲ୍ଲାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଛି । ଗୁଳୁଗୁଳି ସାଙ୍ଗକୁ ଝାଂଜି ପବନରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗରମ ଅତିଶୟ ହେଉଥିବାରୁ ସକାଳ ୮ଟାରୁ ଘରର ବାହାର କାନ୍ଥ ବାଡ ସବୁ ତାତି ଯାଉଛି । ଦିନ ୧୧ ବେଳକୁ ରାସ୍ତାରେ ଲୋକ ଦେଖା ଯାଉନାହାନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ଚାହୁଁନାହାନ୍ତି । ଗରିବ ଧନୀ ସମସ୍ତଙ୍କୁ ଡହଳବିକଳ କରୁଛି ଏହି ଗରମ ।