କନକ ବ୍ୟୁରୋ: ବଢ଼ୁଛି କଟକ ଓ ଭୁବନେଶ୍ୱରର ତାପମାତ୍ରା । ଏ ନେଇ ସତର୍କ ଘଂଟି ବଜାଇଛି ଭୁବନେଶ୍ୱର ଆଇଆଇଟି । କଟକ, ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଦଶବର୍ଷରେ ଶୁନ ଦଶମିକ ପାଂଚ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିଯାଇଛି । ଫଳରେ ଏକ ସଂକଟଜନକ ସ୍ଥିତି ଆଡକୁ ମୁହାଁଉଛି ଟୁଇନ୍ ସିଟି । ଭୁବନେଶ୍ୱର ଆଇଆଇଟିର ଗବେଷଣା ଅନୁସାରେ, ଭାରତର ଦ୍ରୁତ ଗତିରେ ତାପମାତ୍ରା ବୃଦ୍ଧି ପାଉଥିବା ଦ୍ୱିତୀୟ ସହର ହେଉଛି ଭୁବନେଶ୍ୱର ।
ଟୁଇନ ସିଟି କଟକ ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ଦଶବର୍ଷରେ ଶୁନ ଦଶମିକ ପାଂଚ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବାକୁ ଲୋକମାନେ ଗୁରୁତର ସହିତ ନନେଇ ପାରନ୍ତି । କିନ୍ତୁ ଏହା ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ବହୁତ ଅଧିକ । ଭୁବନେଶ୍ୱର ଆଇଆଇଟିର ସର୍ଭେ ଅନୁଯାୟୀ ୨୦୦୧ରୁ ୨୦୧୦ ମଧ୍ୟରେ କଟକ ଓ ଭୁବନେଶ୍ୱର ସିଟିର ତାପମାତ୍ରା ବଢିଛି ୪୦ରୁ ୫୦ ପ୍ରତିଶତ ।
ଭୁବନେଶ୍ୱର ଆଇଆଇଟିର ଗବେଷଣା ଅନୁସାରେ ଭୁବନେଶ୍ୱର ହେଉଛି ଭାରତର ଦ୍ୱିତୀୟ ଦ୍ରୁତ ଗତିରେ ତାପମାତ୍ରା ବୃଦ୍ଧି ପାଉଥିବା ସହର । ଆଉ ରିପୋର୍ଟରେ କୁହାଯାଇଛି ସହରୀକରଣ ହେଉଛି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ । ୨୦୦୦ମସିହା ଓ ୨୦୧୪ମସିହାର ସାଟେଲାଇଟ ଦ୍ୱାରା ନିଆଯାଇଥିବା ଟୁଇନ ସିଟି କଟକ ଓ ଭୁବନେଶ୍ୱରର ଛବି ଦର୍ଶାଉଛି କି ଏହି ୧୫ବର୍ଷ ଭିତରେ ବିରାଟ ବଡ ପରିବର୍ତ୍ତନ ଘଟିଛି । ସେତେବେଳେ ଗବେଷଣାରେ ୨୦୦୦ରୁ ୨୦୧୪ ମଧ୍ୟରେ ୮୩.୧୦ ପ୍ରତିଶତ ସହରୀକରଣ ଅଧିକା ହୋଇଛି । ସେହିଭଳି ୮୯ପ୍ରତିଶତ ଘଞ୍ଚ ଜଙ୍ଗଲ କମିଛି ।
ପୂର୍ବରୁ ଅନୁଗୁଳ, ଢେଙ୍କାନାଳ, ଜାଜପୁର ଅଂଚଳରେ ସହରୀକରଣ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଉଥିଲା । ଆଉ ଏବେ ଦୈତ ନଗରୀରେ ତାପମାତ୍ରା ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ ନୁହେଁ ।