କନକ ବ୍ୟୁରୋ: ଖରାରେ ସିଜୁଛି ସାରା ଓଡିଶା । ଆସନ୍ତା ୨୪ ଘଂଟା ମଧ୍ୟରେ ଓଡିଶାର କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ । କିନ୍ତୁ ଦିନବେଳା ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ । ସେହିପରି ଆସନ୍ତା ୩ ରୁ ୪ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ୪୩ ରୁ ୪୪ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି ।
ଜଳୁଛି ପଶ୍ଚିମ ଓଡିଶା । ବୌଦ୍ଧ ଆକାଶରୁ ବର୍ଷୁଛି ନିଆଁ । ତାପମାତ୍ର ପାରଦ ୪୫ଡିଗ୍ରୀ ରୁ ଅଧିକ ରହୁ ଥିବା ବେଳେ ପ୍ରବଳ ଝାଞ୍ôଜ ସାଙ୍ଗକୁ ପ୍ରଖର ସୂର୍ଯ୍ୟ ତାପରେ ଜୀବନ ଯାତ୍ରା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଦିନ ୧୦ଟା ପରେ ଅତି ଆବଶ୍ୟକ ନ ପଡିଲେ ଲୋକେ ପଦାକୁ ଗୋଡ କାଢିବାକୁ ଉଚିତ୍ ମଣୁନାହାନ୍ତି । ପ୍ରବଳ ଖରା ଯୋଗୁଁ ଜିଲ୍ଲାରେ ଥିବା ବିଭିନ୍ନ ନଦୀ ନାଳ ପୋଖରୀ ଶୁଖି ଗଲାଣି ଫଳରେ ପାନୀୟ ଜଳ ପାଇଁ ଚାରି ଆଡେ ହାହାକାର ପଡିଛି । ପାଣି ପାଇଁ ଲୋକେ ଆଉଟ ପାଉଟ ହେଉଛନ୍ତି । ଏତିକି ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ।
ପାରଦ ୪୫ ଡିଗ୍ରୀରୁ ଅଧିକ ଥିବା ବେଳେ ଏଯାଏଁ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ଜଳଛତ୍ର ଖୋଲା ହୋଇନାହିଁ । ଏହାସହ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭିନ୍ନ ସ୍ଥାନରେ ଅଚଳ ହୋଇପଡିଛି । ବୌଦ୍ଧରେ ମହାନଦୀ ବହୁଥିଲେ ହେଁ ଏହା ସଂପୂର୍ଣ୍ଣ ଶୁଷ୍କ ଅବସ୍ଥାରେ ପଡିରହିଛି । ଏଭଳି ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଟିକେ ପାଇଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।