କନକ ବ୍ୟୁରୋ : ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ । ଏଥିପାଇଁ ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ଏହି ୭ ଜିଲ୍ଲା ହେଲେ ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି । ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିବା ସହ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପଦାକୁ ଖରାରେ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଅପରପକ୍ଷେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଆରବ ସାଗରର ଆଉ କିଛି ଅଞ୍ଚଳ, ଗୋଆ, ଦକ୍ଷିଣ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ରପ୍ର‌ଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ‌େରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜଧାନୀ ସମେତ ପ୍ରାୟ ସ୍ଥାନରେ ଦିନସାରା ପାଗ ମେଘୁଆ ରହିଥିଲା । ଆଜି ମଧ୍ୟ ପାଗ ମେଘୁଆ ରହିପାରେ ।