ତାତିରେ ଫୁଟୁଛି ପଶ୍ଚିମ ଓଡ଼ିଶା : ୪୦ ଡିଗ୍ରି ଉପରେ ୫ ସହରର ତାପମାତ୍ରା

Advertisment
ଦିନକୁ ଦିନ ବଢ଼ୁଛି ତାତି : ୪୦ ଛୁଇଁଲା ୨ସହରର ତାପମାତ୍ରା

କନକ ବ୍ୟୁରୋ : ତାତିରେ ଫୁଟୁଛି ପଶ୍ଚିମ ଓଡ଼ିଶା। ଝାରସୁଗୁଡ଼ାଠାରୁ ଆରମ୍ଭ କରି ଟିଟିଲାଗଡ଼ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି। ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ପ୍ରତିଦିନ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ୁଛି। ବଲାଙ୍ଗୀର ତତଲା ସହର ପାଲଟିଥିବା ବେଳେ ଗତକାଲି ଟିଟିଲାଗଡ଼ ପାଲଟିଥିଲା ତତଲାଗଡ଼। ୨୪ ଘଣ୍ଟା ମଧ୍ୟରେ ଏଠାରେ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇ ୪୪.୮ ଡିଗ୍ରିରେ ପହଞ୍ଚିଛି, ଯାହାକି ଚଳିତବର୍ଷର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା। ଦେଶର ସବୁଠାରୁ ଅଧିକ ଉତ୍ତପ୍ତ ସହର ମଧ୍ୟରେ ଟିଟିଲାଗଡ଼ ସ୍ଥାନ ପାଇଛି। ଟିଟିଲାଗଡ଼ ବ୍ୟତୀତ ସୋନପୁର ସହରର ତାପମାତ୍ରା ମଧ୍ୟ ୪୪ ଡିଗ୍ରିରେ ପହଞ୍ଚିଛି। ପ୍ରଥମ ଥର ଲାଗି ଉଭୟ ସହରର ତାପମାତ୍ରା ସର୍ବୋଚ୍ଚରେ ପହଞ୍ଚିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ରହିଛି। ଏହି ସମୟ ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ତାଳଚେର, ସୋନପୁର ତାପମାତ୍ରା ଆଉ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଲାଗି ହିଟୱେଭ ଜାରି କରିଛି ପାଣିପାଗ କେନ୍ଦ୍ର। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ଜଳିବ। ତାପମାତ୍ରା କମିବ ନାହିଁ। କିନ୍ତୁ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପଡ଼ିବ। ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପଶ୍ଚିମ ଓଡ଼ିଶାର ସବୁ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ପାର ହୋଇଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରିଉପରେ ରହିଥିବା ବେଳେ ୫ଟି ସହରର ତାପମାତ୍ରା ୪୩ ଡିଗ୍ରି ଟପିଛି। ଝାରସୁଗୁଡ଼ାରେ ୪୩.୮, ବଲାଙ୍ଗୀରରେ ୪୩.୫, ସମ୍ବଲପୁରରେ ୪୩, ଭବାନୀପାଟଣାରେ ୪୨.୨, ହୀରାକୁଦରେ ୪୨.୧, ସୁନ୍ଦରଗଡ଼ରେ ୪୨, ତାଳଚେରରେ ୪୧.୬, ମାଲକାନଗିରିରେ ୪୧.୪ ଅନୁଗୁଳରେ ୪୧.୩ ଡିଗ୍ରି ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା କମିଛି। ସକାଳୁ ପାଗ କୋହଲା ରହିଥିବାରୁ ଟିକିଏ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବାରୁ ତାତିରୁ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe