କନକ ବ୍ୟୁରୋ : ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି । ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏସବୁ ଭିତରେ ତାତିରୁ ମିଳୁନି ନିସ୍ତାର । ପ୍ରତିଦିନ ପାରା ବଢି ଚାଲିଛି । ତାତିରୁ ନିସ୍ତାର ପାଇଁ କାଳବୈଶାଖୀ ଅପେକ୍ଷାରେ ଲୋକେ । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହା ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ଅଥାର୍ତ ଆଗାମୀ ୩୬ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ସମୟ ଭିତରେ ତାତିର ପ୍ରକୋପ ଦେଖିବେ ଓଡ଼ିଶାବାସୀ ।
ଆଜି ରାଜ୍ୟର ଉତ୍ତପ୍ତ ସହର ଥିବା ଝାରସୁଗୁଡାରେ ତାପମାତ୍ର ୪୫ ଡିଗ୍ରୀ ଛୁଇଁପାରେ । ଆଜି ରାଜ୍ୟର ୪ ଜିଲ୍ଲାକୁ ହିଟୱେଭ୍ ଅରେଞ୍ଜ ଆଲର୍ଟ ଦିଆଯାଇଛି । କଟକ,ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ଅନ୍ୟ ୮ଟି ଜିଲ୍ଲାରେ ହିଟ୍ ୱେଭ ସ୍ଥିତି ରହିଛି । ଯେଉଁ ଜିଲ୍ଲା ଗୁଡିକ ଭିତରେ ସୁନ୍ଦରଗୁଡ, ଦେବଗଡ, ଅନୁଗୁଳ, ବଲାଙ୍ଗୀର ଓ ବୌଦ୍ଧ ରହିଛି । ଆସନ୍ତା ୨୪ ଘଣ୍ଟାରେ ଗୁରୁଚାପ ବଳୟ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେଣୁ ତାତି କମିବାକୁ ଆହୁରି ୩୬ ଘଣ୍ଟା ସମୟର ଆବଶ୍ୟକତା ରହିଛି । ଏପରିକି ଆସନ୍ତାକାଲି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କୁହାଯାଇଛି ।
ଓଡିଶା ଉପକୂଳ ବଙ୍ଗୋପସାଗର ପାଖାପାଖି ଏକ ଗୁରୁଚାପ ବଳୟ ଆସୁଛି ତେଣୁ ତା ପ୍ରଭାବରେ ପ୍ରଚୁର ମାତ୍ରାରେ ଜଲୀୟବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରିବ ତେଣୁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ରୁ ତାପମାତ୍ରା ୨ ରୁ ୪ଡିଗ୍ରୀ କମିବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Follow Us