କନକ ବ୍ୟୁରୋ: ଜଳୁଛି ସାରା ଓଡିଶା । ଆଜି ବି ସମ୍ବଲପୁର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି । ଭୁବନେଶ୍ୱରର ତାପାମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡା, ହୀରାକୁଦରେ ମଧ୍ୟ ତାପମାତ୍ରା ୪୪ଡିଗ୍ରୀ ଉପରେ ରହିଛି । ଆଉ ଏଭଳି ଗ୍ରୀଷ୍ମ ପ୍ରବାହ ଆଗାମୀ ତିିନି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ପରବର୍ତ୍ତୀ ୨ଦିନରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ।
- ଆହୁରି ୩ଦିନ ତାତିରୁ ତ୍ରାହି ନାହିଁ
- ୨୧ରୁ କମିପାରେ ଗରମ
ସମ୍ବଲପୁର, ଝାରୁସୁଗୁଡା, ହୀରାକୁଦ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳର ତାତି ରେକର୍ଡ ଭାଙ୍ଗୁଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୪ଡିଗ୍ରୀ ଡେଇଁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆହୁରି ତିନି ଦିନ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅର୍ଥାତ ୧୮, ୧୯, ୨୦ ତାରିଖ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିନ୍ତୁ ୨୧ରୁ ଧିରେ ଧିରେ ଗ୍ରୀଷ୍ମ ପ୍ରବାହ କମିପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ।
ଚଳିତ ବର୍ଷ ଦେଖାଯାଉଛି, ଦୀର୍ଘ ଦିନ ହେଲା ତାତି ଲାଗି ରହିଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଏହା ପଛରେ ଅନେକ କାରଣ ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।
ତାତିର କାରଣ କ’ଣ?
- ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବା
- ଆରବସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା
- କାଳବୈଶାଖୀ ବର୍ଷା ଭଲ ଭାବରେ ନହେବା
ତେବେ ପାଣିପାଗ ବିଶେଷଜ୍ଞଙ୍କ ମତ, ଓଡିଶା ବାୟୁମଣ୍ଡଳ ଉପରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବାରୁ ରାଜ୍ୟରେ ତାତି ବଢ଼ୁଛି । ଗୁରୁଚାପ କ୍ଷେତ୍ର ବା ଆଣ୍ଟି ସାଇକ୍ଲୋନ ବାୟୁମଣ୍ଡଳର ଉପରି ଭାଗରେ ଗରମ ବାୟୁକୁ ଭୁପୃଷ୍ଠ ଆଡକୁ ଟାଣିଥାଏ । ସାଧାରଣତଃ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଭୁପୃଷ୍ଠରୁ ବାୟୁ ଉପରକୁ ଉଠିଥାଏ । ଉପରକୁ ଉଠିଲା ବେଳେ ଏହା ବାୟୁମଣ୍ଡଳରେ ଉପରି ଭାଗରେ ଥିବା ଜଳକଣାକୁ ଏକାଠି କରି ମେଘ ତିଆରି କରିଥାଏ । ଫଳରେ ଥଣ୍ଡା ଅନୁଭୂତ ହୋଇଥାଏ । କିନ୍ତୁ ଗୁରୁଚାପ କ୍ଷେତ୍ର ଏହାର ଠିକ୍ ଓଲଟା କରେ । ଗ୍ରୀଷ୍ମ ଦିନରେ ବାୟୁମଣ୍ଡଳର ଉପରି ଭାଗରେ ଉତପ୍ତ ବାୟୁ ରହିଥାଏ । ଗୁରୁଚାପ କ୍ଷେତ୍ର ପ୍ରଭାବରେ ଏହା ଭୂପୃଷ୍ଠ ଆଡକୁ ଆସିବା ଫଳରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହୁଏ । ଏହା ନିର୍ଦ୍ଧିଷ୍ଟ କିଛି ସମୟ ପାଇଁ ହୋଇଥାଏ । ଓଡ଼ିଶା ଉପରେ ଏଭଳି ଏକ ଗୁରୁଚାପ କ୍ଷେତ୍ର ଥିବାରୁ ଅସ୍ୱାଭାବିକ ଗରମ ଅନୁଭୂତ ହେଉଛି ।
କେବଳ ଏତିକି ନୁହେଁ ତାତି ପଛରେ ଅନେକ ମନୁଷ୍ୟକୃତ କାରଣ ରହିଛି । ଯେଉଁ କାରଣ ଗୁଡିକ ଆମ ପାଇଁ ବିପଦର କାରଣ ବନିଛି ।