ଭୁବନେଶ୍ୱରରେ ଖଇଫୁଟା ଖରା । ରେକର୍ଡ ଭାଙ୍ଗିଲା ତାତି । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ । ଏବେଠୁ କଲବଲ କଲାଣି ଗରମ ।

280

କନକ ବ୍ୟୁରୋ: ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଲଗାତାର ଦୁଇ ଦିନ ହେବ ଅସହ୍ୟ ହେଉଛି ତାତି । ଓଡିଶାରେ ଭୁବନଶ୍ୱେରର ତାପମାତ୍ରା ସବୁଠୁ ଅଧିକ ରହୁଛି । ଗତକାଲି ସାରା ଦେଶରେ ଭୁବନେଶ୍ୱର ତାପମାତ୍ରା ଅଧିକ ଥିବାବେଳେ ଆଜି ବି ୪୦ ଟପିଛି ପାରଦ । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ରହିଛି ।

ସେହିପରି ଯାଜପୁରରେ ତାପମାତ୍ରା ୩୮.୬ ଥିବାବେଳେ ଦେବଗଡରେ ୩୬.୬ ଡିଗ୍ରୀ ତାପମାତ୍ରା ରହିଛି । ନୂଆପଡା ୩୭.୭, ନବରଙ୍ଗପୁର ୩୩.୮, ବାରିପଦା ୩୮.୬, ବାଲେଶ୍ୱର ୩୭. ୬, କଟକ ୩୭. ୨ ଡିଗ୍ରୀ ରହିଛି ।

ସେପଟେ ଗତକାଲି ବି ରେକର୍ଡ ଭାଙ୍ଗିଥିଲା ତାତି । ସାରା ଦେଶରେ କାଲି ଉତପ୍ତ ସହର ହୋଇଥିଲା ରାଜଧାନୀ ଭୁବନେଶ୍ୱର । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହା ଗତ ୧୫ ବର୍ଷରେ ଏହା ସର୍ବାଧିକ ବୋଲି ଜଣାପଡିଛି । ମାର୍ଚ୍ଚ ପୂର୍ବରୁ ଏଭଳି ତାତି ବୃଦ୍ଧି ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ କରିବାର ଆଶଙ୍କାକୁ ବହୁଗୁଣିତ କରିଛି ।

ଅନ୍ୟପଟେ ଖରାକୁ ଆଖି ଆଗରେ ରଖି ବଦଳିଲା ଟାଇମ୍, ଏଣିକି ସକାଳୁଆ ସ୍କୁଲ । ନବମ, ଏକାଦଶ ଶ୍ରେଣୀ ସକାଳ ୭ରୁ ୯ଟା । ଦଶମ, ଦ୍ୱାଦଶ ଶ୍ରେଣୀ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ସରକାର ।