ରାଜ୍ୟରେ ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା: ୧୦ ତାରିଖଠାରୁ ପୁଣି ବଢ଼ିପାରେ ତାପମାତ୍ରା

818

କନକ ବ୍ୟୁରୋ: ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଥିବା ବେଳେ ଏବେ ପୁଣିଥରେ ପାରଦ ସ୍ତର ବଢ଼ିଛି। ଆଜି ମଧ୍ୟ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେବେ ଉପର ବେଳାଠାରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ସେତେ ବଢ଼ିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।

୭ ତାରିଖ ଉପର ବେଳାଠାରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଆଦି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିସହ ୮ତାରିଖ ଦିନ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର ଓ ମୟୂରଭଞ୍ଜରେ କାଳବୈଶାଖୀର ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ତାପମାତ୍ରା କମିବ। ତେବେ ୧୦ ତାରିଖଠାରୁ ପୁଣି ତାପମାତ୍ରା ବଢ଼ିବ।