ତାତିରୁ ଏବେ ମିଳିବ ନାହିଁ ନିସ୍ତାର: ଆହୁରି ୪ ଦିନ କରିବ କଲବଲ

1,053

କନକ ବ୍ୟୁରୋ: ରାଜ୍ୟକୁ ମୌସୁମୀ ଛୁଇଁବାର ଏକ ସପ୍ତାହ ବିତିଗଲାଣି । ହେଲେ ତାତିରୁ ଆଶ୍ୱସ୍ତି ମିଳିପାରୁ ନାହିଁ । ଅନ୍ୟପଟେ ଆଂଚଳିକ ପାଣିପାଗ ବିଭାଗର ଆକଳନ ଆହୁରି ୪ ଦିନ କଲବଲ କରିବ ତାତି । ତେବେ ରଜ ପରେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବା ସମ୍ଭାବନା ରହିଛି ।

ରାଜ୍ୟରେ ମୌସୁମୀ ଛୁଇଁଛି ସତ କିନ୍ତୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଲୋକ ସନ୍ତୁଳି ହେଉଛନ୍ତି । ଏପରି ସମୟରେ ଆଂଚଳିକ ପାଣିପାଗକେନ୍ଦ୍ର ଆକଳନ ଆହୁରି ଚିନ୍ତା ବଢାଇ ଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ

ଆଗାମୀ ୨୪ ଘଂଟା ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବ
ଆହୁରି ୪ ଦିନ ଯାଏଁ ଉପକୂଳ ଓଡିଶାରେ ଗୁଳୁଗୁଳି ଅନୁଭୂତ ହେବ

ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟର ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ପାଇଁ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁ ସାରିଛି । ହେଲେ ପାଗ ଅନୁକୂଳ ନଥିବାରୁ ଏହା ଆଗକୁ ବଢିପାରୁ ନାହିଁ । ଏବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ତେବେ ଆଗାମୀ ୪ରୁ ୫ ଦିନ ଓଡିଶାର ଅନ୍ୟ ଜିଲ୍ଲାକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଭିତରେ କିଛି ଜିଲ୍ଲାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର । ୧୬ ତାରିଖରେ ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ । ସେହିପରି ୧୮ ତାରିଖରେ ଦକ୍ଷିଣ, ଉପକୂଳ ଓ ଉତର ଓଡ଼ିଶାର ୧୬ ଜିଲ୍ଲାକୁ ଝଡ଼ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।