ଓଡ଼ିଶା ସମେତ ୯ ରାଜ୍ୟରେ ହେବ ପ୍ରବଳ ଗରମ । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ ।

141

କନକ ବ୍ୟୁରୋ : ଏ ବର୍ଷ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଗ୍ରୀଷ୍ଣ ଋତୁ ହାରାହାରିଠାରୁ ଅଧିକ ଗରମ ରହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅପେକ୍ଷାକୃତ କମ ଗରମ ରହିବା ସମ୍ଭାବନା ରହିଛି । ଲା ନିନୋର ପ୍ରଭାବ ଧୀରେ ଧୀରେ କମୁଥିବାରୁ ଏବର୍ଷ ଗରମ ବଢିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ଏପ୍ରିଲ-ଜୁନ ତାପମାତ୍ରା ପୂର୍ବାନୁମାନ ରିପୋର୍ଟରେ କୁହାଯାଇଛି ଯେ ଏବର୍ଷ ଦେଶର ଉତ୍ତର, ଉତ୍ତର-ପଶ୍ଚିମ ଓ ପୂର୍ବ-ମଧ୍ୟ ଭାରତରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ଏସବୁ ପାଣିପାଗ ସବଡିଭିଜନ ମଧ୍ୟରେ ଆସୁଥିବା ରାଜ୍ୟମାନେ ହେଲେ ରାଜସ୍ଥାନ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ,ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଓଡ଼ିଶା ।

ଅନ୍ୟପକ୍ଷରେ ଦକ୍ଷିଣ, ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବ ଭାରତରେ ଏବର୍ଷ ଅପେକ୍ଷାକୃତ କମ ଗରମ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀର, ଲଦାଖ, ସିକ୍କିମ ଓ  ଆଉ କେତେକ ଉତ୍ତର-ପୂର୍ବ ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ କମ ରହିବ ।