ଆଜି ବି ତତଲା କଡେଇରେ ସିଝିବ ସାରା ରାଜ୍ୟ । ଗତକାଲି ସବୁଠୁ ଉତପ୍ତ ଥିଲା ଭୁବନେଶ୍ୱର । ୮ଟି ସହରର ପାରା ୪୦ ଡିଗ୍ରୀ ଉପରେ

133

କନକ ବ୍ୟୁରୋ: ସାଧାରଣ ନିର୍ବାଚନ କାରଣରୁ ରାଜନୈତିକ ତାତି ଶିଖରରେ ପହଞ୍ଚିଲାଣି। ଠିକ୍ ଏହି ସମୟରେ ସୂର୍ଯ୍ୟଦେବତାଙ୍କ କୋପ ମଧ୍ୟ ତାଳ ଦେଇ ବଢୁଛି। ଏମିତି ଡରାଇଲାଣି ଯେମିତି ତାପମାତ୍ରା ସବୁ ବାଡ଼ ଲଘିଂଯିବ। ସୋମବାର ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୯.୬ ଡିଗ୍ରି ରହିଥିଲା। ମଙ୍ଗଳବାର ରାଜଧାନୀର ତାତି ଗୋଟିଏ ଦିନରେ ୪ ଡିଗ୍ରି ବଢିଯାଇଥିଲା। ବେଶ୍ କିଛି ସମୟ ଟକ୍ ମକ୍ ହୋଇ ଫୁଟିଥିଲା ଭୁବନେଶ୍ବର। ଲୋକେ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ତାତିର ତାଉରେ ଛଟପଟ ହୋଇଥିଲେ। ଅଧା ଓଡ଼ିଶାର ସ୍ଥିତି ମଧ୍ୟ ଅଳ୍ପ ବହୁତେ ଏମିତି। ୧୪ଟି ସହରର ପାରଦ ୩୯ ଡିଗ୍ରି ଉପରକୁ ଉଠିଯାଇଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, ଆଜି ଅପରାହ୍ଣ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାରେ ସମାନ ସ୍ଥିତି ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିପାରେ। କିନ୍ତୁ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ଅଧିକ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି କେନ୍ଦ୍ରାପଡ଼ା ଜଗତ୍ସିଂହପୁର, କଟକ, ପୁରୀ, ଖୋର୍ଧା, ନୟାଗଡ଼, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସମାନ୍ୟ କମିପାରେ। ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ତାପମାତ୍ରା କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିବ। ୧୮ ତାରିଖରେ ରାଜ୍ୟର ସମସ୍ତ ସହରରେ ତାପମାତ୍ରା ୧ରୁ ୨ ଡିଗ୍ରି କମିବ। ଗଞ୍ଜାମଠାରୁ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ଗରମ ଅପେକ୍ଷାକୃତ ଅଧିକ ରହିବ। ୧୯ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବ। ଏପ୍ରିଲ ୨୦ରେ ପୁଣି ତାତି ବଢ଼ିବ। କେତେକ ସ୍ଥାନରେ ୩ ଡିଗ୍ରି ସେଲ୍ସିୟସ୍ରୁ ଅଧିକ ବଢ଼ିପାରେ। ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯିବ।

୨୦ ପରେ ତାତି ବଢିବ, ୨୫ରୁ ସ୍ଥିତି ଗମ୍ଭୀର

ଆସନ୍ତା ୧୮ ତାରିଖରେ ଦକ୍ଷିଣ ଓଡ଼ିଶା, ୧୯ରେ ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ବାକି ଅଞ୍ଚଳ ଓ ୨୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ ତାପମାତ୍ରା କମିବ। ଯଦିଓ ୨୨ ତାରିଖରେ ଅଧିକ ଗରମ ରହିବ ତେବେ ୨୩ ତାରିଖରେ ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆଜିଠାରୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା କମିବ। ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ରହିଛି। ତେବେ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ ବଢ଼ିପାରେ। ୨୫ ତାରିଖଠାରୁ ପୁଣି ପ୍ରବଳ ତାତି ଅନୁଭୂତ ହେବ। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ତାପମାତ୍ରା ବଢ଼ିଚାଲିବ।