ଓଃ କି ଖରା ! ଆକାଶରୁ ବର୍ଷୁଛି ନିଆଁ । ଏସିଆର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

941

କନକ ବ୍ୟୁରୋ: ଡରାଉଛି ରାଜଧାନୀର ତାତି । ଆଜି ଭୁବନେଶ୍ୱରରେ ପାରଦ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି ।

ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି । ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି । ଭାରତର ନନ୍ଦୟାଲ ସହର ୪୩. ୭ ଡିଗ୍ରୀ ସହ ଚତୁର୍ଥ, କୁର୍ନୁଲ ୪୩.୫ ଡିଗ୍ରୀ ସହ ସପ୍ତମ, ଗୁଲବର୍ଗ ୪୩.୩ ଡିଗ୍ରୀ ଏବଂ ଅନନ୍ତପୁର ୪୩. ୩ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଓଡିଶାରେ ଆଜି ତାପମାତ୍ରା ଅସହ୍ୟ ହୋଇଛି । ଗରମ ଏତେ ହୋଇଛି ଯେ, ଆକାଶରୁ ନିଆଁ ହୁଳା ବର୍ଷିଲା ଭଳି ଅନୁଭବ ହୋଇଛି । ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । ଆଜି ୪୦ ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ରହିଛି ଭୁବନେଶ୍ୱରରେ ।

ସେହିପରି ପାରଳାଖେମୁଣ୍ଡିରେ ୪୨. ୬ ଡିଗ୍ରୀ, ତାଳଚେର ୪୨. ୪ ଡିଗ୍ରୀ, ମାଲକାନଗିରି ଓ ବୌଦ୍ଧରେ ୪୨. ୨ ଡିଗ୍ରୀ, ଅନୁଗୁଳରେ ୪୨. ୧ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି ।