କନକ ବ୍ୟୁରୋ : ସକାଳ ହେଉ ହେଉ ଆଜି ଖରାର ପ୍ରକୋପ ବଢିବାରେ ଲାଗିଲା । ସମୟ ଗଡିବା ସହ ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ପାରଦ ଉପରମୁହାଁ ହୋଇଛି ।
ଭୁବନେଶ୍ୱର ତାପମାତ୍ରା
ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ
ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ପାରଦ ପହଁଚିଥିଲା ୪୩.୨ ଡିଗ୍ରୀ ସେଲସିୟସ୍
ରାଜଧାନୀର ତାପମାତ୍ରା ହଠାତ ଏପରି ବଢିଥିଲା ଯେ ୨୦୧୬ର ରେକର୍ଡ ମନେ ପଡି ଯାଇଛି ।
ଭୁବନେଶ୍ୱର ତାପମାତ୍ରା
୧୧ ଏପ୍ରିଲ ୨୦୧୬ – ୪୫.୮ ଡିଗ୍ରୀ
୨୮ ଏପ୍ରିଲ ୨୦୧୬ – ୪୫.୧ ଡିଗ୍ରୀ
୨୩ ଏପ୍ରିଲ ୧୯୮୫ – ୪୫ ଡିଗ୍ରୀ ସେଲସିୟସ ହୋଇଥିଲା ଭୁବନେଶ୍ୱରର ତାପମାତ୍ରା ।
କେବଳ ଭୁବନେଶ୍ୱର ନୁହେଁ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଛି । ଉତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ପବନ ବହୁଥିବାରୁ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢୁଛି ତାପମାତ୍ରା । ଏପ୍ରିଲ ୫ ଓ ୬ ତାରିଖ ପାଇଁ ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଝାରସୁଗୁଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କିଛି ଅଂଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ତେବେ ଆଶ୍ୱସ୍ତିର କଥା ହେଉଛି – ୭ ତାରିଖରେ ହ୍ରାସ ପାଇପାରେ ତାପମାତ୍ରା
ଦିନ ଭଳି ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ପାଇଛି । ଉପକୂଳ ଅଂଚଳରେ ଆଦ୍ରତା ୪୦ରୁ ୬୦ ପ୍ରତିଶତ ମଧ୍ୟରେ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଦ୍ରତା ୨୦ରୁ ୪୦ ପ୍ରତିଶତ ମଧ୍ୟରେ ରହୁଛି । ଫଳରେ ଉପକୂଳ ଅଂଚଳରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଯେଉଁଠି ଅଘୋଷିତ ବିଦ୍ୟୁତ କାଟ ହେଉଛି, ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।
ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସକାଳ ୯ଟାରୁ ଘର ବାହାରିବାକୁ ଲୋକ ଭୟ କରୁଛନ୍ତି । ଅସହ୍ୟ ଗରମ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଜନଜ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।
ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ମାଲକାନଗିରିରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି । ଆକାଶରୁ ନିଆଁ ବର୍ଷୁଥିବା ବେଳେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ତାତି ବଢ଼ୁଥିବା ବେଳେ ଅଂଶୁଘାତ ସତର୍କତା ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଅଂଶୁଘାତ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଖରାରେ ବାହାରକୁ ନଯିବା ସହ, ନିଆଁ ପାଖରେ ବେଶୀ ସମୟ ନରହିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ୩ଟା ଯାଏଁ ଖରାରେ ଶାରୀରିକ ପରିଶ୍ରମ ନକରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତର ମୁକାବିଲା ପାଇଁ ବ୍ୟବସ୍ଥା ସହ ଜନଗହଳି ସ୍ଥାନରେ ଜଳଛତ୍ର ଖୋଲିବାକୁ ୫ ମହାନଗରକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।