ତତଲା ଖରାରେ ସିଝୁଛି ସାରା ଓଡ଼ିଶା : ୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ଆକଳନ

127

କନକ ବ୍ୟୁରୋ : ତତଲା ଖରାରେ ସିଝୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଛି । ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗରେ ଆକଳନ କରିଛି । ଏପ୍ରିଲ ମାସରେ ଓଡ଼ିଶାର ଅନ୍ୟତମ ଥଣ୍ଡା ସହରର ପରିଚୟ ପାଇଥିବା ଗୋପାଳପୁରରେ ବି ପାରା ହଠାତ୍‌ ବଢ଼ି ୩ ଦଶନ୍ଧିର ରେକର୍ଡକୁ ପଛରେ ପକାଇଛି। ୧୯୯୪ ଏପ୍ରିଲ ୧୨ରେ ଗୋପାଳପୁରରେ ଏପ୍ରିଲ ମାସର ସର୍ବୋଚ୍ଚ ତାପମାତ୍ରାର ୩୭.୮ ଡିଗ୍ରୀ ରହିଥିଲା। ବୁଧବାର ଦିନ ସମାନ ତାରିଖରେ ସହରର ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରୀ ସହ ପୂର୍ବ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।

ଝାରସୁଗୁଡ଼ା ସମେତ ରାଜ୍ୟର ୧୪ଟି ସହରରେ ପାରଦ ୪୦ ଡିଗ୍ରୀ ଉପରକୁ ଡେଇଁ ଯାଇଛି । ବାରିପଦାରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେରରେ ୪୧.୬, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୧.୨, ଅନୁଗୁଳରେ ୪୧.୧, ଭଦ୍ରକ, ସୁନ୍ଦରଗଡ଼ ଓ ସୋନପୁରରେ ୪୧, ହୀରାକୁଦରେ ୪୦.୭, ରାଉରକେଲାରେ ୪୦.୬ ଓ ଚାନ୍ଦବାଲିରେ ୪୦.୩ ଡିଗ୍ରୀ ରହିଥିଲା । ଗତକାଲି ୪୦ ଡିଗ୍ରୀ ଡେଇଁଥିବା ଭୁବନେଶ୍ବର ତାପମାତ୍ରା  ୩୯.୮ ଡିଗ୍ରୀକୁ ହ୍ରାସ ପାଇଛି । ଆସନ୍ତା ୩ ଦିନ ଯାଏ ଅସ୍ତବ୍ୟସ୍ତ କରିବ ତାତି ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୩ ତାରିଖଠାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅର୍ଧାଧିକ ଓଡ଼ିଶା ୪୦ ଡିଗ୍ରୀ ଉପରେ ରହିବ । ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିବାକୁ ଥିବା ବେଳେ ରାଉରକେଲା, ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ହେବ । ଭୁବନେଶ୍ବର ସମେତ କେନ୍ଦୁଝର, ବଲାଙ୍ଗୀର କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ବାଲେଶ୍ବର, ଢେଙ୍କାନାଳ, ନୟାଗଡ଼, ମାଲକାନଗିରି, ପାରଳାଖେମୁଣ୍ଡି ୪୧ ଓ ୪୦ ଡିଗ୍ରୀ ମଧ୍ୟରେ ରହିବ ।

୧୪ ତାରିଖ ତଥା ପଣା ସଂକ୍ରାନ୍ତିରେ ଚଳିତ ବର୍ଷର ତାତି ସମସ୍ତ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ଅନୁଗୁଳ, ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀରେ ପହଞ୍ଚିବ । ଭବାନୀପାଟଣା, ଟିଟିଲାଗଡ଼, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ବାରିପଦାରେ ୪୩ ଡିଗ୍ରୀ, ବଲାଙ୍ଗୀର ୪୨, ବରଗଡ଼ ଓ ଭୁବନେଶ୍ବର ୪୧ ଡିଗ୍ରୀ ଡେଇଁବାର ସମ୍ଭାବନା ରହିଛି । ୧୫ ତାରିଖରେ ମଧ୍ୟ ସାମନ ସ୍ଥିତି ଲାଗି ରହିବ । ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିପାରେ । ମାତ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪୩ ଓ ୪୪ ଡିଗ୍ରୀ ରହିବା ନେଇ ଆକଳନ କରାଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।