ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ : ଆହୁରି କିଛି ଦିନ ରହିବ ହିଟ୍ ୱେଭ କଣ୍ଡିସନ

36

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆହୁରି କିଛିଦିନ ହିଟ୍ ୱେଭ କଣ୍ଡିସନ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର । ଏଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ଏସଆରସି । ଅନୁଗୁଳରେ ଜଣେ ଓ ବଲାଙ୍ଗିରରେ ଜଣେ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇ ଦିଆଯିବ । ସାରା ରାଜ୍ୟରୁ ମୋଟ ୭୩ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିବାବେଳେ ୨୪ଟିର ତଦନ୍ତ ସରିଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେହିପରି ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସଆରସି । ରବିବାର ମଧ୍ୟ ସଂଯୋଗ ହେଲ୍ପ ଲାଇନ ଖେଲା ରହିବାକୁ ଓକାକକୁ ଅନୁରୋଧ କରାଯାଇଛି । ଜଳ ଯୋଗାଣର ମରାମତି ପାଇଁ ୭ଶହ ୪୫ ମୋବାଇଲ ଭ୍ୟାନ ସାରା ରାଜ୍ୟରେ ବୁଲୁଛି । ଗ୍ରାମାଂଚଳରେ ହଜାରେଟି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଅତିରିକ୍ତ ହଜାରେଟି ଟ୍ୟାଙ୍କର ପ୍ରସ୍ତୁତ ରଖାଯାଇଥିବାବେଳେ ଆବଶ୍ୟକ ପଡିଲେ କାମରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ସେପଟେ ଆଜି ଦିନ ସାଢେ ଗୋଟାଏ ସୁଦ୍ଧା ଭୁବନେଶ୍ୱର ତାପମାତ୍ର ରହିଛି ୪୧.୬ଡିଗ୍ରୀ । ବାଲେଶ୍ୱରର ୪୨.୪,କେନ୍ଦୁଝର ୪୨,ଝାରସୁଗୁଡା ୪୧.୬ ଡିଗ୍ରୀ ତାପମାତ୍ରା ରହିଛି । ଆସନ୍ତା ୨୬ରେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଗତକାଲି ଟିଟିଲାଗଡର ତାପମାତ୍ରା ୪୭ ଦଶମିକ ୫ ଡିଗ୍ରୀ ଥିଲା । ଆଜି ବି ପ୍ରବଳ ତାତି ଅନୁଭୁତ ହେବା ସହ ରାସ୍ତାଘାଟ ବି ଶୂନସାନ ହୋଇଯାଉଛି। ସେହିଭଳି ସମ୍ବଲପୁରରେ ବି ସମାନ ଅବସ୍ଥା । ତାପମାତ୍ରା ହୁ ହୁ ହୋଇ ବଢୁଛି । ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି । ଏଭଳି ସ୍ଥିତି ଆହୁରି ୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।