କନକ ବ୍ୟୁରୋ: ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନେ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ବାଜପେୟୀଙ୍କ ସ୍ମୃତିରେ ‘ସଦୈବ ଅଟଳ’ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି।

Advertisment

ପୂଣ୍ୟତିଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଦେଶ। ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ରାଜନୈତିକ ସହକର୍ମୀ ଓ ଦେଶର ଜନସାଧାରଣ। ୨୦୧୮ ମସିହା ଆଜିର ଦିନରେ ୯୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ। ରାଷ୍ଟ୍ର ପ୍ରତି ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ଉଦାରତା ଓ ବିରୋଧୀଙ୍କୁ ସମ୍ମାନ ଆଜି ତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଅମର କରି ରଖିଛି। ଭାରତୀୟ ରାଜନୀତିର ଅଜାତଶତ୍ରୁ କୁହାଯାଉଥିବା ଏହି ମହାନତମ ନେତା। ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତି ଇତିହାସର ଏକ ମାତ୍ର ଏଭଳି ନେତା ଥିଲେ ଯାହାଙ୍କ କଥା, କବିତାରେ ବିରୋଧୀ ବି ତାଳି ମାରୁଥିଲେ। ବାଜପେୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ । ରାଜନୀତିରେ ଉଦାରବାଦ, ସମାନତାକୁ ବିଶ୍ୱାସ ରଖୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୨୫ ଡିସେମ୍ବର, ୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ। ଗ୍ୱାଲିଅରରେ ସ୍କୁଲ ଓ କଲେଜ୍ ପାଠପଢା ଶେଷ କରିଥିଲେ ବାଜପେୟୀ । ତାଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଜଣେ ଶିକ୍ଷକ ଏବଂ କବି ଥିଲେ । ଆଉ ତାଙ୍କର ଏହି ଗୁଣ ଅଟଳ ବିହାରୀ ବାଜପେୟୀଙ୍କ ଠାରେ ଦେଖିବାକୁ ମିଳିଥିଲା । ଜଣେ ରାଜନେତା ଭାବେ ଅଟଳ ବିହାରୀ ବାଜପେୟୀ ଯେତିକି ସଫଳ ଥିଲେ, ସେତିକି ଲୋକପ୍ରିୟ ଥିଲେ ନିଜର କାଳଜୟୀ କବିତା ପାଇଁ । ନିଜର ଦୀର୍ଘ ୫ ଦଶନ୍ଧିର ସକ୍ରିୟ ରାଜନୈତିକ କ୍ୟାରିୟରରେ ୧୦-୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାଜପାୟୀ ୨ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୩ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଜପେୟୀ । କ୍ରମାଗତ ଦୁଇ ଦୁଇ ଥର ମେଂଟ ସରକାର ଗଠନରେ ବିଫଳ ହେବା ପରେ ତୃତୀୟଥର ତାଙ୍କୁ ମିଳିଥିଲା ସଫଳତା । ଦେଶର ପ୍ରଥମ ଅଣ କଂଗ୍ରେସ ଦଳର ନେତା ଭାବେ ୧୯୯୯ ମସିହାରେ ପ୍ରଧାନମନ୍ତ୍ରୀ ଗାଦିରେ ବସି ୫ବର୍ଷ ପୁରା କରିଥିଲେ ବାଜପେୟୀ।

ମନେ ପଡ଼ନ୍ତି ବାଜପେୟୀ:
• ଭାରତୀୟ ରାଜନୀତିର ସଫଳତମ ରାଜନେତା ଅଟଳ ବିହାରୀ ବାଜପେୟୀ
• ୨୫ ଡିସେମ୍ବର, ୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ବାଜପେୟୀଙ୍କ ଜନ୍ମଗ୍ରହଣ
• ୨୦୧୮ , ଅଗଷ୍ଟ ୧୬ରେ ଦିଲ୍ଲୀ ଏମ୍ସରେ ଶେଷନିଶ୍ବାସ ତ୍ୟାଗ
• ୫ ଦଶନ୍ଧିର ସକ୍ରିୟ ରାଜନୈତିକ କ୍ୟାରିୟର
• ୧୦ ଥର ଲୋକସଭାକୁ ନିର୍ବାଚିତ, ୨ଥର ରାଜ୍ୟସଭାକୁ ନିର୍ବାଚିତ
• ୩ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଜପେୟୀ
• ୧୯୯୬ରେ ପ୍ରଥମଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ୧୩ ଦିନ ଶାସନରେ ରହିଥିଲେ
• ୧୯୯୮ରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ୧୩ମାସ କ୍ଷମତାରେ ରହିଥିଲେ
• ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ୫ବର୍ଷ କାର୍ୟ୍ୟକାଳ ପୂରଣ କରିଥିଲେ ବାଜପେୟୀ
• ୧୩ଟି ଦଳର ମେଣ୍ଟରେ କେନ୍ଦ୍ରରେ ସରକାର ଗଠନ କରିବାରେ ହୋଇଥିଲେ ସକ୍ଷମ
• ନିଜ କାର୍ୟ୍ୟକାଳ ମଧ୍ୟରେ ବାଜପେୟୀ ନେଇଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
• ୪ ମେଟ୍ରୋ ସହରକୁ ଯୋଡିବା ପାଇଁ ଆରମ୍ଭ କରିଥିଲେ ହାଇୱେ ପ୍ରୋଜେକ୍ଟ
• ପୋଖରଣରେ ପରମାଣୁ ବୋମାର କରିଥିଲେ ସଫଳ ପରୀକ୍ଷଣ
• ବିଦେଶୀ କମ୍ପାନୀକୁ ଭାରତରେ ନିବେଶ କରିବାର ଶୁଭ ପକାଇଥିଲେ ବାଜପେୟୀ
• ବାଜପେୟୀ ସରକାର ଅମଳରେ ଆରମ୍ଭ ହୋଇଥିଲା ସର୍ବ ଶିକ୍ଷା ଅଭିଯାନ
• ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଦିଲ୍ଲୀ- ଲାହୋର ବସ୍ ସେବାର କରିଥିଲେ ଶୁଭାରମ୍ଭ
• ରାଜନୀତିରେ ସଫଳ ବାଜପେୟୀ କବିତା ଲେଖିବା ପାଇଁ ମଧ୍ୟ ଥିଲେ ଲୋକପ୍ରିୟ