କନକ ବ୍ୟୁରୋ: ବାପା ! ଦୁଇଟି ଅକ୍ଷରରେ ସାରା ବିଶ୍ୱ । ବାପା ଗୋଟେ ବିଶ୍ୱାସ ଡାକ, ନିଶ୍ୱାର ନାଁ । ବାପା ଆମ ଜୀବନରେ ବଡ ସେତୁବନ୍ଧ । ଯାହା ଉପରେ ଚାଲି ଆମେ ବଡ ହେଉ, ବଞ୍ଚିବା ଶିଖୁ । ପିଲାବେଳେ ବାପାଙ୍କ ଆଙ୍ଗୁଠି ଧରି ଯେଉଁପିଲା ବାଟଚଲା ଶିଖେ ସେହି ପୁଅ ବଡ ହେଲା ପରେ ବାପାଙ୍କ ହାତ ଛାଡିଦିଏ । ଆଜିର ଏ ସ୍ୱାର୍ଥପର ଦୁନିଆରେ ବାପାଙ୍କୁ ବାଡେଇବା, ବାପାଙ୍କୁ ବିଦା କରିଦେବା ଭଳି ଅନେକ ଖବର ସମ୍ବାଦପତ୍ରର ଶିରୋନାମା ପାଲଟୁଛି ଯାହାକୁ ଦେଖି ମନରେ ପ୍ରଶ୍ନ ଆସେ ଧିକ ସେ ପୁଅପଣିଆକୁ । ପୁଅ ଜନ୍ମ କରି କଣ ବାପା ପାପ କରିଛନ୍ତି ?
ସେମିତି ଏକ ଖବର ଆସିଛି ସିଲଭରସିଟି କଟକରୁ । ଯେଉଁଠି ଜଣେ ବାପାଙ୍କୁ ବାଟରେ ବେସାହାରା କରି ପଲାଇଛି ପୁଅ । ବୁଲାଇ ନେବାର ବାହାନା କରି ପର କରିଦେଇଛି ପୁଅ । ଖାଲି ପୁଅ ନୁହେଁ ବୁଢାବୟସରେ ରାସ୍ତା କଡରେ ୭୨ ବର୍ଷର ଏ ଅସହାୟ ବାପାଙ୍କୁ ଛାଡି ପଳାଇଛନ୍ତି ପୁଅବୋହୂ । ଆଉ ପର ସହରର ଭିଡ ଭିତରେ ପୁଅକୁ ଭାରି ଖୋଜୁଥିଲେ ବାପା । ହେଲେ ସେ କେମିତି ଜାଣିବେ ତାଙ୍କ ପୁଅ ତାଙ୍କୁ ଘରୁ ଆଣି ପର ସହରରେ ଛାଡିଯାଇଛି ବୋଲି...

Advertisment

କଟକ ଶିଶୁ ଭବନ ରାସ୍ତାକଡରୁ ଉଦ୍ଧାର ହୋଇଥିବା ଏ ବୃଦ୍ଧ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଗଜେନ୍ଦ୍ର ନାୟକ । ଶନିବାର ରାତିରୁ ମେଡିକାଲ ବାରଣ୍ଡାରେ ପଡିରହିଛନ୍ତି । ବୃଦ୍ଧଙ୍କୁ ଅସହାୟ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ମଉସାଙ୍କୁ ଖାଇବାକୁ ଦେଇଥିଲେ । ଅଭିଯୋଗ ହେଉଛି କି ଅଧରାତିରେ ପୁଅବୋହୂ ବୁଢାବାପାଙ୍କୁ ଏସବିଆଇ ଏଟିଏମ ନିକଟରେ ଛାଡି ଛୁ ମାରିଥିଲେ । ବାପାଙ୍କୁ ଯାତ୍ରା ଦେଖାଇବାକୁ ଆଣି କଟକ ରାସ୍ତାକଟରେ ଛାଡି ଦେଇଗଲେ । ତେବେ ପୋଲିସ ବୃଦ୍ଧଙ୍କ ଫଟୋ କେନ୍ଦ୍ରାପଡା ଥାନାକୁ ପଠାଇଥିବା ସୂଚନା ମିଳିଛି । ଆଉ ଏଭଳି ଏକ ଘଟଣାକୁ ଅନେକ ନିନ୍ଦା ବି କରିଛନ୍ତି ।

ତେବେ କଟକରୁ ଆସିଥିବା ବୁଢାବାପାର ଏ କରୁଣ କାହାଣୀ ହିଁ ବୟାନ କରୁଛି ସତରେ ମାନବିକତା ଧିରେଧିରେ ମରିମରି ଯାଉଛି । ସମସ୍ତେ ନୁହେଁ କିଛି ପୁଅ ବଡ ହେବା ପରେ ବାପାଙ୍କୁ ବୋଝ ଭାବୁଛନ୍ତି । ବାପାଙ୍କୁ ପର କରିଦେଉଛନ୍ତି । ତେବେ ବାପାଙ୍କୁ ଜୀବନରେ ବୋଝ ଭାବୁଥିବା ସେହି ପୁଅମାନଙ୍କୁ ଗୋଟିଏ ପ୍ରଶ୍ନ । ଯେଉଁ ବାପାକୁ ଆଜି ପର କରିବାକୁ ହାତ ଯାଉଛି ସେହି ବାପା କଣ ତୁମ ପାଇଁ କିଛି କରି ନାହାନ୍ତି ? ନିଜ ରକ୍ତକୁ ଝାଳ କରି ମଣିଷ କରିଥିବା ବାପାଙ୍କୁ ପୁଅମାନେ ଏମିତି ଉପହାର ଦେବା କେତେ ଦୂର ଠିକ? ବାପାଙ୍କୁ ବୋଝ ଭାବୁଥିବା ପୁଅମାନେ ନିଜ ବାପାଙ୍କ ତ୍ୟାଗକୁ ଥରେ ମନେପକାନ୍ତୁ । ଦେଖିବେ ଦିନେ ଦୁନିଆରୁ କମିଯିବ ଏମିତି ଘଟଣା । ଆଉ ବାପାମାନେ କହିବେ ମୋ ପୁଅ କୋଟିଏରେ ଗୋଟିଏ...