କନକ ବ୍ୟୁରୋ : ବିଜୁଳି ନେଇଗଲା ବାପାମା’ଙ୍କ ଜୀବନ। ଅନ୍ଧାର ଭିତରୁ ଜୀବନର ଆଲୋକ ଖୋଜୁଛନ୍ତି ୩ ଅବୋଧ ଶିଶୁ। ବାପାମା’ ମୁଲ ଲାଗି ପିଲାଙ୍କ ମୁହଁରେ ଦାନା ଦେଉଥିଲେ।ଦୁଃଖେସୁଖେ ସଂସାର ଚାଲିଥିଲା। ହସଖୁସିରେ, ଖେଳକୁଦରେ ପିଲାଙ୍କ ଦିନ କଟୁଥିଲା।ହେଲେ ବଜ୍ରପାତରେ ବାପାମାଆ ଦୁହେଁ ଏକାସାଙ୍ଗରେ ଆରପାରିକୁ ଚାଲିଯିବା ପରେ ଅନ୍ଧାର ହୋଇଯାଇଛି ସେମାନଙ୍କ ଦୁନିଆ।
ସପ୍ତାହ ତଳେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପାରାଲ ଗାଁର ୩୦ ବର୍ଷିୟ ରବି ମୁଦୁଲି ଏବଂ ତାଙ୍କ ପତ୍ନୀ ବତୀ ମୁଦୁଲି ନିଜ ଜମିରେ ମାଣ୍ଡିଆ ରୋଇବାକୁ ଯାଇଥିଲେ। ସେଦିନ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେବାରୁ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ଦୁହେଁ ସେହିଠାରେ ହିଁ ଟଳି ପଡିଥିଲେ।ଦମ୍ପତିଙ୍କ ଏହି ଦୁଃଖଦ ମୃତ୍ୟୁ ପରେ ଗାଁରେ କାନ୍ଦବୋବାଳି ପଡିଛି। ତାଙ୍କ ୩ ସନ୍ତାନ କଣ କରିବେ, କେମିତି ବଂଚିବେ ତାକୁ ନେଇ ଭାଳେଣୀ ପଡିଛି ।
ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଥିବା ଗ୍ରାମବାସୀ ପ୍ରଶାସନର ସହାୟତା ଲୋଡିଛନ୍ତି। ପ୍ରଶାସନ ଏମାନଙ୍କୁ ନେଇ ଥରଥାନ କରିବାକୁ ଦାବି ହୋଇଛି।