ଭାରତରେ କରୋନା ସଂକଟକୁ ନେଇ ଚିନ୍ତାବ୍ୟକ୍ତ କଲେ ପରିବେଶବିତ୍ ଗ୍ରେଟା ଥନବର୍ଗ । ବିଶ୍ୱ ସମୁଦାୟ ସହାୟତା ଯୋଗାଇବାକୁ କଲେ ଅନୁରୋଧ

130

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ବେଳେ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଥିବା ପରିବେଶବିତ୍ ଗ୍ରେଟା ଥନବର୍ଗ ଏବେ ଭାରତରେ କରୋନା ସଂକଟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଶନିବାର ଦିନ ସେ ଏକ ଟ୍ୱିଟ୍ କରି କହିଛନ୍ତି କି ଭାରତରେ ଯେଭଳି ଭାବେ କରୋନା ସଂକଟ ଦେଖାଦେଇଛି ଏନେଇ ବିଶ୍ୱ ସମୁଦାୟ ଭାରତକୁ ସହାୟତାର ହାତ ବଢାଇବାର ଆବଶ୍ୟକତା ରିହିଛି ।

ଗ୍ରେଟା କହିଛନ୍ତି କି ଏବେ ଭାରତର ସ୍ଥିତି ‘ମର୍ମଭେଦୀ’ ଏଭଳି ସ୍ଥତିରେ ବିଶ୍ୱ ସମୁଦାୟ ଭାରତକୁ ସହାୟତା ଦେବାକୁ ସେ ଅନୁରୋଧ କରିଛନ୍ତି    । ସେ ତାଙ୍କ ଟ୍ୱିଟରେ ଭାରତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି ।

କହିରଖୁ କି ଭାରତରେ ଏବେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହିଛି । ଏହାସହ କରୋନାରେ ଦୈନିକ ୨ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଉଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଏଠାରେ ବିଶେଷ କରି ଅକ୍ସିଜେନ ଅଭାବ ଏବେ ସାରାଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଅଙ୍ଗୁଳୀ ନିର୍ଦ୍ଦେଶ କରିଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ମେଡିକାଲରେ ଅକ୍ସିଜେନ ସହିତ ବେଡ ଓ ଭେଣ୍ଟିଲେଟର ଅଭାବ ଅନୁଭୂତ ହୋଇଛି ।

ସେଥିନିମନ୍ତେ ଶନିବାର ଦିନ ଭାରତ ସରକାର କୋଭିଡ୍‌-୧୯ ଟିକା ଆମଦାନି, ମେଡିକାଲ୍‌ ଅକ୍ସିଜେନ୍‌ ଏବଂ ଅନ୍ୟାନ୍ୟ ଉପକରଣ ଉପରୁ ମୌଳିକ ଟିକସ ଛାଡ଼ କରି ଦେଇଛନ୍ତି। ଏହା ବ୍ୟତିରେକେ, ଉପରୋକ୍ତ ସାମଗ୍ରୀ ସବୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି।