ଯେବେ ଭୋକ ହୁଏ, ପିଚୁ ରାସ୍ତା ବି ପାଲଟେ ପ୍ଲେଟ… ଭୁବନେଶ୍ୱରର ଭିଡ ଭିତରେ ରାସ୍ତାରେ ଭାତ ବାଢି ଖାଉଥିଲା ଭୋକିଲା, ଦେଖୁଥିଲା ରାଜଧାନୀ…

520

କନକ ବ୍ୟୁରୋ: ଭୋକିଲା ପେଟ, ଭିଡର ଭୁବନେଶ୍ୱର । ଉଦୁଉଦିଆ ଖରାବେଳ, ଉଦର ଖୋଜେ ଆହାର । ମାଳମାଳ ଗାଡି, ମାଳମାଳ ମଣିଷ । ସୌଖିନ ସହରର ଛାତି ଉପରେ ଚାତଚକ୍ୟତାର ଚିତ୍ର । ଅତିକ୍ରାନ୍ତ ମଧ୍ୟାହ୍ନଟାରେ ଯଦିଓ ବ୍ୟସ୍ତ ଥିଲା ବାଣିବିହାର ଛକ । କିନ୍ତୁ ତାରି ଭିତରେ ଏ ଅଭାବନୀୟ ଚିତ୍ର ମଣିଷର ଅସହାୟତାକୁ ବଖାଣୁଥିଲା । କେମିତି ଭୟଙ୍କର ଭୋକର ଭଉଁରୀରେ ଫସି ମଣିଷ ତା ସ୍ଥିତାବସ୍ଥା ହରାଏ, ସେ ବିକଳ ଚିତ୍ର ଦେଖୁଥିଲା ରାଜଧାନୀ, ଦେଖୁଥିଲେ ବି ରାଜଧାନୀବାସୀ । ହେଲେ ସେତେବେଳକୁ ସମ୍ଭ୍ରାନ୍ତ ସହରର କଳା ମଚମଚ ପିଚୁ ରାସ୍ତା ଉପରେ ବଢା ସରିଥିଲା ଭାତ, କେଉଁ ହୋଟେଲରୁ ମାଗଣା ମିଳିଥିବା ତରକାରୀର ଜରି ବି ଚିରା ହେଉଥିଲା । ଆଉ ରାଜଧାନୀର ରାସ୍ତାକୁ ଥାଳି କରି ଭୋକିଲା ପେଟକୁ ଖାଦ୍ୟ ଖୁଆଇ ଚାଲିଥିଲେ ଏ ଅସହାୟ ମଣିଷ । ଓଃ… କି କରୁଣ ଏ ଚିତ୍ର ? କେତେ ଦାରୁଣ ଏ ଦୃଶ୍ୟ?…

ଗୋଟେ ପଟେ ରାଜଧାନୀର ମଣିଷମାନେ ଖାଦ୍ୟ ଖାଇବାକୁ ଭଲ ଆଉ ବଡ ବଡ ହୋଟେଲ ଖୋଜୁଥିବା ବେଳେ ଏ ମଣିଷ ଜଣଙ୍କ ଭାତମୁଠେ ଖାଇବାକୁ ବ୍ରିଜ ତଳେ ବସିଛନ୍ତି ଆଉ ପିଚୁ ରାସ୍ତାକୁ ପ୍ଲେଟ ଭାବି ଭୋକ ମେଣ୍ଟାଉଛନ୍ତି । ଏଇ ରାଜଧାନୀରେ ଅନେକ ଲୋକ ପଞ୍ଚ ତାରକା ହୋଟେଲ ଯାଇ ସୁଆଦିଆ ଆଉ ସତେଜ ଖାଦ୍ୟ ଖୋଜୁଛି କିନ୍ତୁ ଏ ଗରିବ ବୃଦ୍ଧ ଜଣଙ୍କ କାହା ଘର ଡଷ୍ଟବିନରୁ ଅଣ୍ଡାଳି ଆଣିଥିବା ବାସି ଖାଦ୍ୟରେ ଭୋକର ଜ୍ୱାଳାକୁ ମାରିବାକୁ ପ୍ରୟାସ ଜାରି ରଖିଛନ୍ତି । ଭୁବନେଶ୍ୱର କହିଲେ, ଆଖି ସାମ୍ନାରେ ନାଚି ଯାଉଥିବା ଚକ ଚକ ସହର, ବଡ ବଡ କୋଠା, ଦାମୀ ଗାଡିଘୋଡା, ଥିଲା ବାଲା ନଥିଲା ବାଲାର ପ୍ରତିଯୋଗିତା ଭିତରେ ଏ ଚିତ୍ର ସତରେ ଛାତିକୁ ଦୋହଲାଇ ଦେଉଛି । ଭୋକ ମେଣ୍ଟାଇବାକୁ ସମସ୍ତେ ଭୁବନେଶ୍ୱର ଆସନ୍ତି ସତ ହେଲେ ଭୋକକୁ ନେଇ ଭୋକିଲା ମଣିଷର ଏ ଭୟଙ୍କର ଚିତ୍ର ସତରେ ଛାତିକୁ ଚାରିଫାଳ କରିଦେଉଛି ।

ବ୍ୟସ୍ତ ବହୁଳ ସହରରେ ଏଠି ସମସ୍ତେ ବ୍ୟସ୍ତ । କାହା ପାଖେ ନଥାଏ କାହା ପାଇଁ ବି ସମୟ । ସମସ୍ତେ ଏଠି ସାମ୍ନାକୁ ଅନେଇ ଆଗେଇ ଯାଆନ୍ତି । ସାଇଡ୍ ଦେଖିବାକୁ ବା ସମୟ କାହିଁ । ଆଉ ଏତିକି ବେଳେ ଆମେ କାର ଭିତରୁ ଦେଖିଥିଲୁ ରାଜଧାନୀ ଛାତିର ଏ କରୁଣ ଚିତ୍ର । ଆଖି ଅଟକିଗଲା, ଗାଡି ରହିଗଲା । ଭୋକର ବିକଟାଳ ଚିତ୍ରକୁ ଦେଖି ହେଉନଥିଲା କି କ୍ୟାମେରାରେ କଏଦ କରିବାକୁ ହାତ ଯାଉନଥିଲା । କିନ୍ତୁ ଅସହାୟତାର ଏ ଦୃଶ୍ୟ ବି ବଡ଼ ବାବୁମାନଙ୍କୁ ଦେଖାଇବା ଦରକାର ଥିଲା…

ବାଣୀବିହାର ଛକରେ ଗୋଟେ ପଟେ ଧାଉଁଥିଲା ରାଜଧାନୀ, ଅନ୍ୟପଟେ ଛକ କଡର ଛାଇକୁ ଆଉଜି ଛିଡା ହୋଇଥିଲା ଟ୍ରାଇ ସାଇକେଲ । ଯାହା ପାଖରେ ବସି ରାସ୍ତା ଉପରେ ବାଢି ଦେଇଥିବା ଖାଦ୍ୟ ଖାଉଥିଲେ ବୃଦ୍ଧା ଜଣଙ୍କ । ତାଙ୍କ ପରିଚୟ ଜଣା ନାହିଁ, ମାତ୍ର ଏ ଭୋକର ଚିତ୍ର ହିଁ ବଖାଣୁଥିଲା ସେ ଜଣେ ଭୁବନେଶ୍ୱରରେ ଭୋକିଲା ମଣିଷ । ଏମାନଙ୍କ ଭୋକର ଭବିଷ୍ୟତ କ’ଣ ହେବ କିଏ ବା କହିବ? ପଚା-ସଢ଼ା ପାଉଁରୁଟିକୁ ଖାଇ ପେଟପୂରା କରୁଥିବା ଲୋକକୁ ପଚାର, ଭୋକ କେତେ ଭୟଙ୍କର?

ଦର୍ଶକବନ୍ଧୁ ! ଏ ଚିତ୍ର ଦେଖାଇବାର ମାନେ… ବଡ଼ ବଡ଼ ଭୋଜି, ହୋଟେଲରେ ନଷ୍ଟ ହେଉଥିବା ଖାଦ୍ୟକୁ ସଞ୍ଚୟ କରନ୍ତୁ । ଥରେ ଜଣେ ଭୋକିଲାର ଭୋକକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଖାଦ୍ୟ ଫିଙ୍ଗିବା ଆଗରୁ ଭୋକ ଉପାସରେ ଶୋଉଥିବା ଲୋକର ପେଟ କଥା ଭାବନ୍ତୁ… ବଳି ପଡୁଥିବା ଖାଦ୍ୟରେ ଉପାସକୁ ଉପଷମ କରି ଦେଖନ୍ତୁ… ଦେଖିବେ ତା’ ମୁହଁର ପେଟପୂରା ହସ, ଆପଣଙ୍କୁ ଆଶିର୍ବାଦ କରୁଥିବ, ଆପଣଙ୍କୁ ଶାନ୍ତି ଆଣିଦେବ… ଆସନ୍ତୁ ଶପଥ କରିବା, ଖାଦ୍ୟ ନଷ୍ଟ ନକରି ଭୋକିଲାର ଭୋକ ମେଣ୍ଟାଇବା ।