କନକ ବ୍ୟୁରୋ: ଲକଡାଉନରେ ମରିଗଲା ମଣିଷପଣିଆ । ସନ୍ଦେହ ନେଇଗଲା ବାପାଙ୍କ ଜୀବନ । କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବାରୁ ସନ୍ଦେହରେ ଚିକିତ୍ସା କଲେନି ଡାକ୍ତର । ମେଡିକାଲ ପରେ ମେଡିକାଲ ବୁଲିଥିଲେ ବି ମିଳି ନଥିଲା ବାପାଙ୍କୁ ସେବା । ଚିକିତ୍ସା ନମିଳିବାରୁ ଅଧ ବାଟରେ ଆଖି ବୁଜିଲେ ବାପା । ଝିଅ ଆଗରେ ଚାଲିଗଲା ବାପାଙ୍କ ଜୀବନ । କରୋନା ବେଳେ ଭୁବନେଶ୍ୱରରୁ ଆସିଲା ଅଧ ରାତିରେ ଅସହାୟ ଝିଅର କରୁଣ କାହାଣୀ ।
ତେବେ ଅଧ ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ବାପା ରବୀନ୍ଦ୍ର କୁମାର ନାୟକ, ଆଉ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସମନ୍ୱିତା । ହେଲେ ଆମ୍ବୁଲାନ୍ସ ସେବା ତ ମିଳିଲା ନାହିଁ ଭଡା ଗାଡିରେ ଡାକ୍ତରଖାନାରେ ପହଁଚିଲେ ବି ଚିକିତ୍ସା ମିଳିଲା ନାହିଁ । କରୋନା ପ୍ରଭାବିତ ଅଂଚଳରୁ ଆସିଥିବା ଜାଣି ଫେରାଇ ଦେଲା ଡାକ୍ତରଖାନା । ଦୁଇଟି ଡାକ୍ତରଖାନାରୁ ଫେରି ତୃତୀୟ ଡାକ୍ତରଖାନାକୁ ଯିବା ବାଟରେ ଆଖି ବୁଜିଦେଲେ ୬୦ ବର୍ଷୀୟ ଅବସର ପ୍ରାପ୍ତ ବିଏସଏନଏଲ କର୍ମଚାରୀ ରବୀନ୍ଦ୍ର କୁମାର ନାୟକ । ସନ୍ଦେହ ପାଇଁ ଗୋଟେ ଅସହାୟ ଝିଅ ଆଗରେ ଆଖି ବୁଜିଲେ ବାପା ।
ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କୁ ସେବା ଯୋଗାଇଲା ନାହିଁ ରାଜଧାନୀରେ ଛାତି ଉପରେ ଠିଆ ହୋଇଥିବା ଦୁଇଟି ଡାକ୍ତରଖାନା । ଏତିକିରେ ସରିନଥିଲା ଏଭଳି ଅମାନବୀୟ କରୁଣ କାହାଣୀ । ଚିକିତ୍ସା ଅଭାବରୁ ମୃତ୍ୟୁ ପରେ ଶବକୁ ରଖିବାକୁ ଜାଗା ଦେଲେ ନାହିଁ ଭଡାଘର ମାଲିକ । ଘରେ ନହେଲା ନାହିଁ ପରିବାର ଠାରୁ ଦୂରରେ ଥିବା ଭାଇ ଆସିବା ଯାଏଁ ଘର ତଳେ ଜାଗା ଦେବାକୁ ନେହୁରା ହୋଇଥିଲେ ଝିଅ । ହେଲେ ଶୁଣି ନଥିଲେ ଘର ମାଲିକ, ଡାକ୍ତରଖାନାରୁ ଫେରି ଥିବାରୁ ଘରୁ ତଡି ଦେଇଥିଲେ ।
ପରିସ୍ଥିତି ଏମିତି ହୋଇଥିଲା ଯେ, ବାଧ୍ୟ ହୋଇ ରାସ୍ତାକଡ଼ରେ ଶବ ରଖି, ସକାଳ ହେବା ଯାଏଁ ଅପେକ୍ଷା କରିଥିଲେ ସ୍ୱାମୀଙ୍କୁ ହରାଇଥିବା ସ୍ତ୍ରୀ ଓ ଝିଅ । ସାରା ରାତି ବାପାଙ୍କ ଶବ ଧରି ଶ୍ମଶାନରେ କାନ୍ଦୁଥିଲା ଝିଅ ସମନ୍ୱିତା । ଅସହାୟତାର ଆଖିରୁ ଲୁହ ନିଗାଡୁଥିଲେ ସଜସଜ ମଥାର ସିନ୍ଦୂର ଲିଭିଥିବା ସ୍ତ୍ରୀ । ବାପାଙ୍କ ମୁହଁ ଦେଖି ପାରିଲାନି ପୁଅ, ଶେଷରେ ମୁଖାଗ୍ନି ଦେଲା ଝିଅ । ମାଆଙ୍କ ଉପସ୍ଥିତିରେ ଗତ ୨୮ ତାରିଖରେ ସତ୍ୟନଗର ଶ୍ମଶାନ ଘାଟରେ ବାପାଙ୍କ ମୁହଁରେ ମୁଖାଗ୍ନୀ ଦେଇଥିଲେ ଝିଅ ସମନ୍ୱିତା ।