କନକ ବ୍ୟୁରୋ: ପରିବେଶବିତ ସାର ଡେଭିଡ ଅଟନୋବରଫଙ୍କ ପ୍ରସିଦ୍ଧ ଉକ୍ତି ରହିଛି । ତାହା ହେଲା “ମୁଁ ଚାହେଁ ଏ ପୃଥିବୀ ଆହୁରି ଦୁଇଗୁଣା ବଡ଼ ହୋଇ ଥାନ୍ତା ଓ ଆଉ ଏହାର ଅଧା ଭାଗକୁ ଏବେ ବି ଆବିଷ୍କାର କରିବାକୁ ବାକି ଥାନ୍ତା’ । ଏହି କଥାର ଏଠି ଅବତାରଣା କରିବାର ଉଦ୍ଦେଶ୍ୟ ହେଲା, ନିକଟରେ ଘଟିଥିବା କିଛି ଘଟଣା । ଆଫ୍ରିକୀୟ ରାଷ୍ଟ୍ର କେନିୟାରେ ନିକଟରେ ବହୁ ସଂଖ୍ୟାରେ ଜିରାଫଙ୍କ ଅକାଳ ମୃତ୍ୟୁ ହୋଇଛି । ଖାଇବା ବିନା ଛଟପଟ ହୋଇ ଗୋଟିଏ ପରେ ଗୋଟିଏ ଜିିରାଫଙ୍କ ଜୀବନ ଚାଲିଯାଇଛି । କେନିଆରେ ବର୍ଷାର ଲମ୍ବା ଅଭାବ ଓ ଭୟଙ୍କର ମରୁଡ଼ି ଯୋଗୁଁ ଏହି ଭୟାନକ ସ୍ଥିତି ଉପୁଜିଛି ।
ଅନ୍ୟ ଏକ ଘଟଣାକ୍ରମରେ ନିକଟରେ ଆଟଲାଂଟିକ ମହାସାଗଗରରେ ଥିବା ଫାରୋଆ ଦୀପରେ “ଡଲଫିନ୍ ମାରିବା’ ଉତ୍ସବ ପାଳିତ ହୋଇଯାଇଛି । ଚଳିତବର୍ଷ ଏକ ହଜାରେରୁ ଅଧିକ ଡଲଫିନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପ୍ରତିବର୍ଷ ଏପରି ଭାବେ ଡଲଫିନ୍ ଶିକାର କରାଯାଏ ଏଠାରେ । ଏହାସହ ଏଠାକାର ମତ୍ସ୍ୟଜୀବୀମାନେ ତିମିଙ୍କୁ ମଧ୍ୟ ଶୀକାର କରିଥାନ୍ତି । ସେହିପରି ଜାପାନରେ ମଧ୍ୟ ତିମି ଶୀକାର ପାଇଁ ମତ୍ସ୍ୟଜୀବୀଙ୍କୁ ଅନୁମତି ମିଳିଥାଏ । ଜାପାନରେ ତିମି ମାଛର ବେଶ୍ ଚାହିଦା ରହିଛି । ଗବେଷଣାକୁ ଆଳ କରି ଏହି କାମକୁ ଆଇନର ମୁଖା ପିନ୍ଧାଇବାକୁ ଚେଷ୍ଟା କରାଯାଏ । ପ୍ରାୟ ୧୦ ବର୍ଷ ମଧ୍ୟରେ ଜାପାନର ମତ୍ସ୍ୟଜୀବୀ ଓ ତଥାକଥିତ ଗବେଷକମାନେ ପ୍ରାୟ ୫ ହଜାର ତିମିଙ୍କୁ ଶୀକାର କରିଛନ୍ତି ।
ଗତବର୍ଷ ଆଫ୍ରିକୀୟ ରାଷ୍ଟ୍ର ବୋତସାୱାନାରେ ଏକାଥରେ ବହୁ ସଂଖ୍ୟକ ହାତୀଙ୍କ ମୃତ୍ୟୁ ଘଟିଥିଲା । ଏପରିକି ହେଲିକପ୍ଟରରେ ଅନୁଧ୍ୟାନ କରିବାକୁ ଯାଇଥିବା ଗବେଷକ ଦଳ ଓକାଭାଙ୍ଗୋ ତ୍ରିକୋଣଭୂମିରେ ୩୫୦ରୁ ଅଧିକ ହାତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସେହିପରି ଜିମ୍ବାୱେ ପରି ଦେଶରେ ଆମୋଦପ୍ରମୋଦ ପାଇଁ ଅର୍ଥ ଦେଇ ସିଂହ ପରି ଜୀବଙ୍କୁ ହତ୍ୟା କରିବାକୁ ଅନୁମତି ମିଳେ । ଭାରତରେ ମଧ୍ୟ ବିଭିନ୍ନ ସମୟରେ ବେଳାଭୂମିରେ ମୃତ ତିମିଙ୍କ ମୃତଦେହ ଲାଗିବା ଘଟଣା ବଢ଼ିବାରେ ଲାଗିଛି । ଏହାସହ ଦେଶରେ ହାତୀ ମୃତ୍ୟୁ ମଧ୍ୟ ବଢ଼ିଚାଲିଛି ।
ନିକଟରେ ଘଟିଥିବା ଓଡ଼ିଶାର ଦୁଇଟି ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସମୀଚୀନ ହେବ । କିଛି ଦିନ ତଳେ କୃଷ୍ଣପ୍ରସାଦ ଅଂଚଳରେ ବେଳାଭୂମିରେ ଏକ ତିମି ଲାଗିଥିଲା । ଏହି ସମୟରେ ତିମିଟି ଜୀବିତ ଥିଲା । ଏହାକୁ ଉଦ୍ଧାର କରି ସମୁଦ୍ର ଜଳକୁ ନେବାକୁ ଯଦିଓ ଚେଷ୍ଟା କରାଯାଇଥିଲା, ହେଲେ ସଫଳ ହୋଇପାରି ନଥିଲା, ଆଉ ବେଳାଭୂମିରେ ହିଁ ଜୀବନ ହାରିଦେଲା ତିମି । ଠିକ୍ ସେହିପରି କିଛି ମାସ ତଳେ ନରାଜରେ ହାତୀଟି ପାଣି ଭିତରେ ପ୍ରାୟ ଦୁଇ ଦିନ ସଂଘର୍ଷ କରି ଭାସିଯାଇଥିଲା ଓ ପରେ ମୃତଦେହ ଉଦ୍ଧାର ହୋଇଥିବା ଶୁଣିବାକୁ ମିଳିଲା ।
ତେବେ ଏତେସବୁ ଘଟଣାର ଉଦାହରଣ ଦେବା ପଛର କାରଣ କ’ଣ ? କାରଣଟି ହେଲା, ଏହି ସବୁ ଜୀବଜନ୍ତୁଙ୍କ ମୃତ୍ୟୁ ପଛରେ ମଣିଷ ହିଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଦାୟୀ । ସଭ୍ୟତାର ଦ୍ୱାହି ଦେଇ, ଗବେଷଣାର ଦ୍ୱାହି ଦେଇ, ବିକାଶର ଦ୍ୱାହି ଦେଇ ମଣିଷ ସମାଜ ଯେ, ପ୍ରକୃତିକୁ ନଷ୍ଟ କରିଚାଲିଛି, ଏହା ନିରାଟ ଓ ଦୁଃଖଦ ସତ । ଏହାସହ ପ୍ରକୃତି କୋଳରେ ନିଜର ଘର କରିଥିବା, ନିଜର ଜୀବନ ଧାରଣ କରିଥିବା ଜୀବମାନେ ଦିନକୁ ଦିନ ବିପନ୍ନ ହେଉଛନ୍ତି । ବିଶ୍ୱର ସବୁଠୁ ବଡ଼ ଜଙ୍ଗଲ ଓ ତଥା ଅମ୍ଳଜାନ କେନ୍ଦ୍ର କୁହାଯାଉଥିବା ଆମାଜନ ଜଙ୍ଗଲ ଧୀରେ ଧୀରେ ସଙ୍କୋଚିତ ହୋଇଚାଲିଛି । ମେରୁରେ ଥିବା ବରଫ ଖଣ୍ଡ ତରଳିବାରେ ଲାଗିଛି ।
ବିଶ୍ୱର ଇକୋଲୋଜିକାଲ ବାଲାନ୍ସ ବା ଜୈବିକି ଭାରସାମ୍ୟ ରକ୍ଷା ପାଇଁ ସବୁ ଜୀବଙ୍କ ଉପସ୍ଥିତି ଜରୁରୀ । ହେଲେ କ୍ରମେ କ୍ରମେ ମଣିଷକୁ ଛାଡ଼ି ଅନ୍ୟ ଜୀବଙ୍କ ସଂଖ୍ୟା କମିବାରେ ଲାଗିଛି । କଙ୍ଗୋ ଭଳି ଦେଶରେ ଗରିଲାଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବା ଖାଲି ଏକ ଦୃଷ୍ଟାନ୍ତ । ମଣିଷ ବିକାଶର କଥା କହି ଲୋଭର ବଶବର୍ତୀ ହୋଇ ଜଙ୍ଗଲକୁ ନଷ୍ଟ କରିଚାଲିଛି । ଏହାସହ ପ୍ରଦୂଷଣକାରୀ ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମାରଣାସ୍ତ୍ରର ନିର୍ମାଣ, ପରୀକ୍ଷଣ ଓ ଉପଯୋଗ କରୁଛି, ଆଉ ଏହାର ପ୍ରଭାବ ପରିବେଶ ଉପରେ ପଡ଼ିଚାଲିଛି । ଏହାର ପ୍ରଭାବରେ ଯେ କେବଳ ଅନ୍ୟ ଜୀବମାନେ କ୍ଷତିଗ୍ରସ୍ଥ ହେଉଛନ୍ତି, ତାହା ନୁହେଁ ମଣିଷ ମଧ୍ୟ ନିଜେ କ୍ଷତିଗ୍ରସ୍ଥ ହେଉଛି । ପ୍ରକୃତିର ତାଣ୍ଡବର ଶୀକାର ହେଉଛି ।
ଅବଶ୍ୟ ବହୁ ବିଳମ୍ବରେ ହେଲେ ମଧ୍ୟ ପ୍ରକୃତି ଓ ଜଳବାୟୁର ସୁରକ୍ଷା ନେଇ ସାରା ବିଶ୍ୱରେ ଚର୍ଚ୍ଚା ବଢ଼ିଛି । ହେଲେ ଆଲୋଚନା, ବିତର୍କ ଓ ନିସ୍କର୍ଷ କେବଳ କାଗଜପତ୍ରରେ ରହିଯାଉଛି । ବିଶ୍ୱର ନେତାମାନେ ଏକାଠି ହୋଇ ବହୁମୁଖୀ ଓ ବଡ଼ ବଡ଼ କଳ୍ପନା ତ କରୁଛନ୍ତି, ହେଲେ ସମୃଦ୍ଧ ଓ ଶକ୍ତିଶାଳୀ ହେବାର ପ୍ରତିଯୋଗିତାରେ ଏମାନେ ଜଳବାୟୁ କଥା ଯେପରି ଭୁଲିଯାଉଛନ୍ତି ।
ପୁଣି ସାର ଡେଭିଡ ଅଟନୋବରଫଙ୍କ ଆଉ ଏକ ଉକ୍ତିକୁ ଏଠାରେ ମନେପକାଇବାକୁ ଚାହେଁ, ସେ କହିଛନ୍ତି ଯେ, “ମଣିଷ ଓ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଫରକ କ’ଣ ? ଏହା ହେଉଛି କପଡ଼ା ବା ପୋଷାକ । ନହେଲେ ପ୍ରାୟତଃ ସବୁ ସମାନ’ । ଜୀବନ ପାଇଁ ସହବସ୍ଥାନର ଆବଶ୍ୟକ, ପ୍ରକୃତି ଓ ପ୍ରାଣୀଜଗତର, ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କର । ତେଣୁ ଭାବିବାର ସମୟ ଆସିଛି, ହେଲେ ଖାଲି ଭାବିଲେ ହେବ ନାହିଁ, ବରଂ କିଛି କରିବାର ସମୟ ଆସିଛି, କିଛି ନହେଲେ ବ୍ୟକ୍ତିଗତ ଭାବେ ଗଛଟିଏ ଯଦି ଲଗାଇ ପାରିବେ ?
( ଏହି ଆଲେଖ୍ୟଟି ବରିଷ୍ଠ ସାମ୍ବାଦିକ ଜଗବନ୍ଧୁ ରଥଙ୍କର, ଏହା ଲେଖକଙ୍କର ନିଜସ୍ୱ ମତ)
Follow Us