କନକ ବ୍ୟୁରୋ: ସାଙ୍ଗ ହୋଇ ବୁଲୁଥିଲେ, ସାଙ୍ଗ ହୋଇ ଚାଲିଗଲେ । ଲୌହଦାନବ ନେଇଗଲା ୨ ସାଙ୍ଗଙ୍କ ଜୀବନ । ୨ ସାଙ୍ଗଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । କାହିଁକି ଆତ୍ମହତ୍ୟା କରିବାକୁ ଧାଇଁଲେ ରତିକାନ୍ତ ? ପାରିବାରିକ କଳହ ନାଁ ଅନ୍ୟ କୌଣସି କାରଣ?
ସାଙ୍ଗ- ସମସ୍ତଙ୍କର ଥାଏ, ସମସ୍ତଙ୍କୁ ବି ଦରକାର । ସାଙ୍ଗ ପ୍ରତି ମଣିଷକୁ ସାହାରା ଦିଏ, ପ୍ରତି ଜୀବନକୁ ସୁମଧୁର କରେ । ସାଙ୍ଗ ବିନା ସାମାଜିକ ସମ୍ପର୍କ ଅଧୁରା । କିଛି ସାଙ୍ଗଙ୍କୁ ନେଇ ଚର୍ଚ୍ଚା ହୁଏ, କିଛି ବନ୍ଧୁତା ଅନ୍ୟମାନଙ୍କ ପାଇଁ ଉଜାହରଣ ପାଲଟେ । ଠିକ୍ ଯେମିତି ବାହାନଗାର ଦୁଇ ସାଙ୍ଗ ରାକେଶ ଓ ରତିକାନ୍ତ । ଯେଉଁମାନେ ପିଲା ଦିନରୁ ସାଙ୍ଗ ହୋଇ ବୁଲୁଥିଲେ, ସାଙ୍ଗ ହୋଇ ଖେଳୁଥିଲେ ଏବଂ ପରିଶେଷରେ ସାଙ୍ଗ ହୋଇ ବି ଆଖି ବୁଜିଲେ । ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ଏତେ ଭଲପାଉଥିଲା ଯେ ତାପାଇଁ ଜୀବନକୁ ବାଜିରେ ଲଗାଇଦେଲା । ବାଲେଶ୍ୱର ବାହାନଗାକୁ ଆସିଥିବା ଏ ଖବର ଏବେ ସାରା ଜିଲ୍ଲାରେ ଚହଳ ପକେଇଛି ।
ଆରୁହାବାଡର ରାକେଶ ପାଢୀ ଏବଂ ବରିପଦାର ରତିକାନ୍ତ ସାହୁ ଦୁହେଁ ଭଲ ବନ୍ଧୁ । ସୁଖରେ ଦୁଃଖରେ ଦୁହେଁ ଦୁହିଁଙ୍କ ପାଖରେ ଛିଡା ହୋଇଥାନ୍ତି । ସେମାନଙ୍କ ବନ୍ଧୁତା ନେଇ ଆଖପାଖ ଗାଁରେ ବି ଭାରି ଚର୍ଚ୍ଚା । ସେମାନଙ୍କ ବନ୍ଧୁତା ଏତେ ଘନିଷ୍ଠ ଯେ ସେମାନେ ଆଉ କିଛି ଦିନ ଭିତରେ ସାଙ୍ଗକୁ ଦୁଇ ସଢୁ ବନିଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା...
ରାକେଶଙ୍କ ମାମୁ ପୁଅ ବାହାଘର ଥିବାରୁ ରାକେଶ ଓ ରତିକାନ୍ତ, ସୋରରୁ କିଛି କାମ ସାରି ସୋମବାର ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ । ରତିକାନ୍ତ କିଣିଥିବା ନୂଆ ବାଇକରେ ଦୁହେଁ ଫେରିବା ବେଳେ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଫାଟକ ପଡିଥିବାରୁ ସେମାନେ ଅଟକିଥିଲେ । ହେଲେ ହଠାତ୍ ବାଇକ ପଛରେ ବସିଥିବା ରତିକାନ୍ତ ଆତ୍ମହତ୍ୟା ପାଇଁ ଦୌଡିବାରୁ ରାକେଶ ତାଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ସକାଳେ ଟ୍ରେନ୍ ଟ୍ରାକରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଦୁଇ ସାଙ୍ଗଙ୍କୁ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ଆତ୍ମହତ୍ୟା ପଛରେ ଘରୋଇ କଳହ ଏବଂ ଉକ୍ତ ଆପାରି ବାଇକ୍ ବୋଲି ସନ୍ଦେହ କରାଯାଇଛି ।
ସେପଟେ ଶେଷକୃତ୍ୟ ପାଇଁ ଦୁହିଁଙ୍କ ଶବ ଗାଁକୁ ନେଇଥିଲେ ହେଁ ଲୁହକୋହରେ ଫାଟିପଡିଥିଲେ ଗାଁ । ଦୁଇଟି ଗାଁରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦୁଇ ସାଙ୍ଗଙ୍କ ଅକାଳ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ । ସେମାନେ ଏମିତି ସାଙ୍ଗ ଥିଲେ, ସାଙ୍ଗ ହୋଇ ବୁଲୁଥିଲେ- ସାଙ୍ଗ ହୋଇ ମୃତ୍ୟୁ ଲଭିଲେ ଆଉ ଏକା ସାଙ୍ଗରେ ଦୁଇଟି ସ୍ଥାନରେ ବି ଜଳିଲା ସେମାନଙ୍କ ଜୁଇ...