ଛାତିକୋରି ଦେଲା ଦେଶର ଦୁଇଟି ଚିତ୍ର । ଜଣେ କୁକୁରକୁ ଜୀବନ ଦେଇ ନିଜ ଛୁଆ ପରି ସ୍ନେହ କରୁଛି, ଅନ୍ୟ ଜଣେ ସୈତାନ ସାଜି ଜୀବନ ନେଉଛି । ଟ୍ୱିଟ୍ କରି ମଣିଷର କ୍ରୁରତାର ଚିତ୍ର ଦେଖାଇଲେ କେନ୍ଦ୍ରମନ୍ତ୍ରୀ, ସ୍ମାର୍ଟସିଟିରୁ ସାରା ଦେଶ ଦେଖିଲା ମଣିଷ-ପଶୁର ସ୍ନେହଭରା ସମ୍ପର୍କ…

ଏପଟ ଚିତ୍ର ଦେଖିଲେ ଆପଣ କହିବେ, ଆଃ କେଡେ ସୁନ୍ଦର ଏ ମଣିଷ ?

1,413

କନକ ବ୍ୟୁରୋ: ଗୋଟିଏ ପଟେ ସ୍ନେହର ଚିତ୍ର, ଅନ୍ୟପଟେ ସୈତାନୀର ଚିତ୍ର । ଗୋଟେ ପଟେ ଜୀବେଦୟାର ଦୃଶ୍ୟ, ଅନ୍ୟପଟେ ଜୀବହତ୍ୟାର ଜ୍ୱଳନ୍ତ ସତ । ଜଣେ ମଣିଷ ପଣିଆର ମହାନ ମନ୍ଦିର, ଅନ୍ୟ ଜଣେ ନୃଶଂସତାର ନଗ୍ନ ଉଦାହରଣ । ଆପଣଙ୍କ ସାମ୍ନାରେ ଥିବା ଏ ଦୁଇଟି ଚିତ୍ର ପଶୁଙ୍କ ପ୍ରତି ଥିବା ମଣିଷର ଦୁଇଟି ପ୍ରବୃତି । ଏପଟ ଚିତ୍ର ଦେଖିଲେ ଆପଣ କହିବେ, ଆଃ କେଡେ ସୁନ୍ଦର ଏ ମଣିଷ ? କେଡେ ମହାନ ତା ମନ? ଆଉ ସେପଟ ଦୃଶ୍ୟ ଦେଖିଲେ ଆପଣ କହିବେ, ମଣିଷ କେମିତି ଏତେ ନିଷ୍ଠୁର ହୋଇପାରେ ? କେମିତି ପଶୁ ପ୍ରତି ପଶୁ ପାଲଟିଯାଏ ମଣିଷ ?

ଘୃଣାପ୍ରେମର ଏ ଦୁଇଟି ଦୃଶ୍ୟ ପଞ୍ଜାବ ଏବଂ ଓଡିଶାର । ଭଲକି ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏ ଦୃଶ୍ୟକୁ । କେମିତି ସେ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ କୁକୁରକୁ ଶୁଆଇ ଦେଇ ସୈତାନ ପାଲଟୁଛନ୍ତି । ନୀରିହ କୁକୁର ଉପରେ କାର୍ ଚଢାଇ ନୃଶଂସତା ରଚୁଛନ୍ତି । ଆଉ ଜୀବନ ବିକଳରେ କୁକୁରଟି କେମିତି ଦରମରା ହୋଇ ଛଟପଟ ହୋଇ ଧାଇଁଯାଉଛି ।

ତେବେ ରାସ୍ତା ଉପରେ ବର୍ବରତା ରଚିଥିବା ପଶୁହତ୍ୟାକାରୀ ପିଶାଚ ଜଣଙ୍କ ପଞ୍ଜାବ ଦାଣ୍ଡୁପୁର ଗାଁର ଗୁରିନ୍ଦର ସିଂହ । କୁକୁର ଲଢେଇ ପାଇଁ କୁରୁର ବିକ୍ରି କରନ୍ତି ଆଉ ପ୍ରଜନନ ମଧ୍ୟ କରନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଲଢେଇ ପାଇଁ ଯେଉଁ କୁକୁରମାନେ ଅଯୋଗ୍ୟ ହୋଇପଡନ୍ତି କିମ୍ବା ଯେଉଁ କୁକୁର କାମରେ ଲାଗନ୍ତିନି ସେହି କୁକୁରଙ୍କୁ କାର ଚଢେଇ କିମ୍ବା ପାଣିରେ ପିଙ୍ଗି ମାରିଦିଏ ଏ ନର ରାକ୍ଷସ । ତେବେ ଛାତି ଉପରେ କାର ଚଢାଇଦେବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ଅଧଘଣ୍ଟା କାଳ ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଥିଲା କୁକୁର ।

ଆଉ ଏକ ଦୃଶ୍ୟକୁ ଦେଖନ୍ତୁ । ଯନ୍ତାରେ ଥିବା ଏ ନିରୀହ ଜନ୍ତୁମାନଙ୍କୁ ହ୍ରଦକୁ ଫିଙ୍ଗି ଦେଇଥିଲା ନିଷ୍ଠୁର ମଣିଷ ଗୁରିନ୍ଦର । ଲଢେଇ ପାଇଁ ଅକାମି ଥିବାରୁ ଏ ସମସ୍ତ କୁକୁରଙ୍କୁ ନିଜ ଘର ପଛରେ ଥିବା ହ୍ରଦକୁ ଫିଙ୍ଗି ଦେଇଥିଲା । ତେବେ ଗୋଟିଏ କୁକୁର ପାଣିରେ ବୁଡିଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ପିପୁଲ ଫର ଏନିମାଲର ସଦସ୍ୟ ।

ପଞ୍ଜାବରୁ ପାଶବିକତାର ଏ ଚିତ୍ର ମଣିଷକୁ ଘୃଣ୍ୟ କରିଥିବା ବେଳେ ସ୍ମାର୍ଟସିଟି ଭୁବନେଶ୍ୱରର ଏ ଚିତ୍ର ଛାତିକୁ କୁଣ୍ଢେମୋଟ କରିଛି, ପଶୁ-ମଣିଷର ସମ୍ପର୍କ ବଖାଣିଛି । ଏଠି ମଣିଷ କୁକୁରକୁ, କୁକୁର ନୁହେଁ ବରଂ ନିଜ ଛୁଆ ପରି ରଖିଛି, ନିଜ ପିଲା ପରି ସାଙ୍ଗରେ ବୁଲାଉଛି, ବାଇକରେ ବସାଉଛି । ଆଉ ହାତରେ ନଖୁଆଇଲେ ଜମା ଖାଉନି । ମଣିଷର ସ୍ନେହ ପାଇ କୁକୁର ବି ବନିଯାଇଛି ମଣିଷ ଛୁଆ ।

ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରୁ କୁକୁରକୁ ପାଇ ନିଜ ଘରେ ରଖିବା ପରେ ଏମିତି ପୋଷା ବନିଯାଇଛି ଯେ ବାଇକ ଷ୍ଟାର୍ଟ କଲେ କୁକୁର ସାଙ୍ଗରେ ଯିବାକୁ କୁଁ କୁଁ ହୋଇ ବାହାରେ… ତେବେ ପଶୁଙ୍କୁ ନେଇ ପଞ୍ଜାବ, ଓଡିଶାର ଏ ଦୁଇଟି କାହାଣୀ ଦେଖି କୁକୁର ପଚାରୁଛି, ହେ ମଣିଷ ତୋର କେତେଟା ରୂପ…?