କନକ ବ୍ୟୁରୋ: ସମାଜରେ ଲୋକଙ୍କୁ କରୋନାର ଭୟ ଏମିତି ଘାରିଛି ଯେ, କୋଭିଡ ହସପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ବି ଆଶା ଆଶଙ୍କାରେ ରହୁଛନ୍ତି ଆକ୍ରାନ୍ତ । କୋଭିଡ୍ ହସପିଟାଲରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆକ୍ରାନ୍ତଙ୍କୁ ସୁସ୍ଥ ଦର୍ଶାଇ ଘରକୁ ପଠାଯାଉଛି । ହେଲେ ସମାଜ ପାଇଁ ଯେପରି ସେମାନେ ଅଛୁଆଁ ପାଲଟିଯାଉଛନ୍ତି । ଛୁଇଁବା ତ ଦୂରର କଥା , ପାଖ ପଡୋଶୀ, ପାଖ ମାଡୁନାହାଁନ୍ତି । କଥାବାର୍ତା କରୁନାହାଁନ୍ତି । ବରଂ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କୁ ଏକଘରିକିଆ କରିଦିଆଯାଉଛି ।

Advertisment

କରୋନା ଭୟ ମାନବିକତାକୁ ମାରି ଦେଉଛି । ବଢୁଥିବା ସଂକ୍ରମଣ ପାଇଁ ଲୋକଙ୍କ ମଧ୍ୟରେ ଭୟ ବଢିବା ସ୍ୱାଭାବିକ । ତେବେ ଏହି ଭୟ ଯୋଗୁଁ ଲୋକ ଏବେ ସକରାତ୍ମକ ଖବର ଅପେକ୍ଷା ନକରାତ୍ମକ ଖବରକୁ ଅଧିକ ଗ୍ରହଣ କରୁଛନ୍ତି । ତେବେ ଡାକ୍ତର କହିଛନ୍ତି, କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ସହାନୁଭୂତି ଦରକାର । ଏଥିସହ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଆହୁରି ୮-୧୦ ଦିନ ନିଜେ ଜାଗ୍ରତ ରହିବା ଜରୁରୀ ।

କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ପ୍ରତି ସାମାଜିକ ବାସନ୍ଦ ଭଳି ଘଟଣା ବଢିଚାଲିଥିବା ବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । ..

କେବଳ ଯେ, କରୋନା ଆକ୍ରାନ୍ତଙ୍କୁ ସାମାଜିକ ବାସନ୍ଦ କରାଯାଉଛି ତାହା ନୁହେଁ, ରାଜ୍ୟ ବାହାରୁ, ଏପରିକି ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ କରୋନା ସନ୍ଦେହରେ ଗାଁକୁ ମନା କରାଯାଉଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ୍ର ନୁଆଗାଁରେ ଜଣେ ଯୁବକ ଚିକିତ୍ସା ପାଇଁ କଟକ ଆସିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଗାଁରେ ପଶିବାକୁ ଦେଉନାହାଁନ୍ତି ଗ୍ରାମବାସୀ । ଫଳରେ ସେ ବିଶ୍ରାମଗାରରେ ପଡି ରହିଛନ୍ତି । ତେବେ ଏହି ଚିତ୍ର ନୂଆ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସୁଛି । ତେଣୁ କରୋନା ମହାମାରୀ ସମୟରେ ଲୋକଙ୍କ ମାନସିକତାରେ ପରିବର୍ତନ ଆସିବା ଜରୁରୀ ।